ବୋଉ
ବୋଉ
ସତରେ କ'ଣ ବୋଉ ମୋର
ଆକାଶର ତାରା ହୋଇଗଲା।
ବହୁତ ସମୟ ନିରୀକ୍ଷଣ କରେ,
ଖୋଜିବୁଲେ, ବୋଉର ଇସାରା।
ଥରଟିଏ ଦେଖି ନିଅନ୍ତିନି କି
ଅସଂଖ୍ୟ ନକ୍ଷତ୍ର ଭିତରୁ
ବୋଉର ମୁହଁଟିକୁ।
ବୋଉ ହସୁଥିବ,ନା କାନ୍ଦୁଥିବ
ନା ବିଷାଦରେ ବସିଥିବ,
ଆମ ମାନଙ୍କର ,ବିଳାପକୁ ଦେଖି
"ନା"ତା'ର ଅସଜଡା
ଘରଟିକୁ ଦେଖି।
"ତା" ତୁଳସୀ ଚଉରାରେ
ଅନାବନା,ଗଛ ଉଠିଲାଣି।
ବାଡି ଦୁଆରରେ
ଗେଲି ଗାଈ ,ହମ୍ଭାରଡି ମାରୁଛି।
କାଠଚୂଲି,ମୁଢିହାଣ୍ଡି
ମୁହଁ ମାଡି ସକାଉଛନ୍ତି।
କୁଲା,ବାଉଁଶିଆରେ
ବୁଢୀଆଣୀ ଘେରା।
ମାଣ,ଗଉଣୀରେ ପରସ୍ତ ମଇଳା।
ମୋଭଳି ଦାଣ୍ଡ ଦୁଆରର
ବେଲଗଛଟି
ଅନାଇ ରହିଛି ଆକାଶକୁ
ତା' ହାତଲଗା ଗଙ୍ଗଶିଉଳିରେ
ବୋଉ ସ୍ଥିତିର ବାସ୍ନା...
କିଏ ସେ ସଜାଡିଦେବ
ଅବ୍ୟଛତ୍ର ହୋଇ
ପଡିଥିବା, ବହିପତ୍ର ଗୁଡା
ସମ୍ବାଦପତ୍ର ର ପୃଷ୍ଠା, ଉଡିବୁଲେ
ଘର ଚାରିଆଡା...
ତ'ଧାନଉଷାଁ ହାଣ୍ଡି
ତା'ପହଁରା ମୁଠାର
ବିକଳ କ୍ରନ୍ଦନ।
ଦିଅଁ ଆଜି ଅଣପୂଜା
ମହକ ବିହୀନ ଆଜି
ଅଗୁର ଚନ୍ଦନ।
ମାଣବସା ଗୁରୁବାରେ
ଲିପାହୁଏ ନାହିଁ ତାର
ମାଟି ଅଗଣାଟି
ଅଙ୍କା ହୁଏନାହିଁ
ଲକ୍ଷ୍ମୀପାଦ ଚିହ୍ନ।
ଦକ୍ଷିଣ କବାଟେ ଅସ୍ପଷ୍ଟ
ମା,ପଦ୍ମା,ହାତୀ ଦୁଇମାନ।
ପାନବଟା,ଗୁଆକାତି
ଚାହିଁଛନ୍ତି ତା'ହାତର ପରଶ
ବାହାରେ ପଡି କାଠ ଚଉକିଟି
ତୁଟାଇଛି ମୁହଁର ହରଷ।
ଦାଣ୍ଡ ଦୁଆରର ତାସ ଖେଳର
କୋଳାହଳରେ...ଶୁଭୁନାହିଁ
ଚା'କପ୍ ଲଢେଇ ର ଶବ୍ଦ
ତା'ରୁନଝୁନ୍ ଚୁଡିର ମଧୁର ବାଜଣା
ଖାଁ ଖାଁ ଲାଗୁଅଛି ସେହି ଘର
ଯେଉଁଠି ବାଜୁଥିଲା
ଗହଳ ଚହଳର ବୀଣା।
ବର୍ଷା ଆସି ଫେରିଯାଏ
ତା ଓଳିତଳରୁ....
ନା ଥାଏ ଗରମ ମୁଢି ,ବାଦାମର ମହକ
ନା ଥାଏ ସରୁ ଚକୁଳିର ଭୋକ
କାହିଁ ଲାଗେ ସବୁ ଖାଲି ଉଣା?
ବୋଉ ନାହିଁ ବୋଲି?
ସବୁ ଲାଗେ ଖାଲି ନିଉଛଣା।
ଆଖିର ଲୁହ ଆଖିରେ ମରେ
ସ୍ମୃତିର ଫରୁଆ ଭିତରୁ
ବୋଉର ଅସ୍ତିତ୍ବ କୁ ଝୁରେ।
ବୋଉ କଣ ସତରେ
ଚାହିଁଥିବ ଆମପାଇଁ
ତ ଅସଜଡା ଜିନିଷକୁ
ଆସି ପୁଣି ସଜାଡିବ କେହି
ସଜାଡ଼ିବ କେହି,...
