ବୋଝ
ବୋଝ
ବୁଢା ବୁଢୀ ହେଇଗଲେ ବାପା ମାଆ
ସନ୍ତାନ କହୁଛି ବୋଝ
କନ୍ୟାଟିଏ ଯଦି ଜନମ ହେଇଛି
କହନ୍ତି ସେ ବଡ ବୋଝ ।
କର୍ମ କ୍ଷେତ୍ରେ ଯେବେ ଦାୟିତ୍ଵ ରହୁଛି
ସିଏ ବି ଗୋଟିଏ ବୋଝ
ଖଳାରୁ ଧାନକୁ ବୋହିବାକୁ ହେଲେ
ତାହା ବି ଗୋଟିଏ ବୋଝ ।
ସବୁଠାରୁ ବଡ ବୋଝ ତ ଭାବନ୍ତି
ଯେବେ ବୟସଟା ଖସେ
ଯେତେବେଳେ ଅକର୍ମଣ୍ୟ ହେଇ କିଏ
ବିନା ରୋଜଗାରେ ବସେ ।
ଏଇ ବୋଝ ନେଇ ଗୋଟିଏ କାହାଣୀ
ଆସ ଏବେ ପଢି ନେବା
କାଳ୍ପନିକ ଅବା ସତ୍ୟର ସେ ବୋଝ
ଭାବି ଚିନ୍ତି କି କହିବା ।
ବୋଝ ପସରାକୁ ମୁଣ୍ଡରେ ମୁଣ୍ଡେଇ
ବୁଢାଟି ଯେ ଯାଉଅଛି
ବୁଟ ବଡଚଣା ମଟର କେ ନେବେ
ଦାଣ୍ଡରେ ସେ ଡାକୁଅଛି ।
ତାର ଡାକ ଶୁଣି ପିଲାଏ ଯାଆନ୍ତି
ଆଣନ୍ତି ତା ଠାରୁ କିଣି
ତା ଦୁଃଖ କାହାଣୀ ଯେବେଟି ଶୁଣିବ
ନୟନୁ ଝରିବ ପାଣି ।
ଚାରି ପୁଅ ତାର ଚାରି ବୋହୁ ଥାଇ
ଖାଇବାକୁ ପାଏ ନାହିଁ
ଭୋକ ଓପାସରେ ଛଟପଟ ହୁଏ
ଆଖି ଲୁହ ଯାଏ ବୋହି ।
ଛୋଟ ବେଳୁ ତାର ବାପା ମରିଥିଲେ
ଥିଲା ଦୁଃଖ କଷ୍ଟ ସହି
ପଢୁଥିଲା ପାଠ ଅତି ଅଭାବରେ
ଓପାସରେ ପଡି ରହି ।
ବଡ ହେଲା ଯେବେ କରିଲା ବିବାହ
ସଂସାର ବୋଝ ଧରିଲା
ନିଜେ କଷ୍ଟ ସହି ପରିବାରକୁ ସେ
ସୁଖ ଶାନ୍ତିରେ ରଖିଲା ।
ଜୀବନ ସାରା ସେ ସଂସାର ବୋଝକୁ
ମୁଣ୍ଡରେ ମୁଣ୍ଡେଇ ଧରି
ଯାହା ସେ ଅର୍ଜିଲା ସବୁ ତାଙ୍କୁ ଦେଲା
ଦିନ ଏମିତିରେ ସରି ।
ଚାରି ପୁଅଙ୍କୁ ସେ ଯୋଗ୍ୟତା କରିଣ
ବିବାହ କରାଇ ଦେଲା
ଚାରି ବୋହୂ ଯେବେ ଆସିଗଲେ ତାର
ଘର ଆପେ ଭାଙ୍ଗି ଗଲା ।
ବାଦ ଛିଣ୍ଡାଳରେ ଚାଲିଲେ ସଭିଏଁ
ଶଶୁର ଧନକୁ ଖାଇ
କଳି କରୁଥାନ୍ତୁ ନିଜ ସମ୍ପତ୍ତିକୁ
ନିଜେ ସିଏ ରଖି ନେଇ ।
ଅକ୍ତିଆର କଲେ ଶଶୁର ସମ୍ପତ୍ତି
ବିଚାରି ସେ ନିଧି ଭାଇ
ଗଧ ଘୁଷୁରୀଙ୍କ ପରି ଖଟୁ ଥାଇ
ନିତି ବିଲକୁ ସେ ଯାଇ ।
ଅମଳ ଶେଷରେ ଛଡେଇ ନିଅନ୍ତି
ଦିଅନ୍ତି ନି କିଛି ତାକୁ
କହିବାରୁ ସିଏ ଭିନ୍ନେ କରି ଦେଲେ
ଦେଲେନି ବି ଖାଇବାକୁ ।
ଚାରି ପୁଅ ବୋହୁ ହେଇଗଲେ ଭିନ୍ନେ
ନେଲେ ଯେତେ ଯାହା ଥିଲା
ଦୁଇ ଦମ୍ପତିଙ୍କ ପାଇଁ ଯାହା ତାଙ୍କ
ଛାଞ୍ଛୁଣି ମୁଠାଏ ଥିଲା ।
ନ୍ୟାୟ ନିଶାପରେ କିଛି ଛିଣ୍ଡିଲାନି
କାନ ମୁଣ୍ଡ ସେ ଆଉଁସି
କଣ ସେ କରିବେ ବୟସ ଯାଇଛି
ଧନ ବି ଯାଇଛି ଖସି ।
ଏଇ ବୟସରେ ହାଣ୍ଡି ବୋଝ ଧରି
ରୋଷେଇ କରି ଖାଇଲେ
କେତେବେଳେ ପୁଣି ଖାଇବା ନ ପାଇ
ଓପାସେ ସିଏ ଶୋଇଲେ ।
ପରିବାର ବୋଝ ମୁଣ୍ଡେଇ ମୁଣ୍ଡେଇ
ଶେଷରେ ସେ ହାରି ଗଲା
ଭୋକ ଓପାସରେ କିଛି ଦିନ ପରେ
ତାର ସ୍ତିରୀ ମରିଗଲା ।
ଶୁଦ୍ଧଘର କେହି କରିଲେନି ପିଲେ
ସେ ବୋଝ ମୁଣ୍ଡେଇ ନେଲା
ଶୁଦ୍ଧଘର ପରେ ମୂଲ ଲାଗି ସିଏ
ସେଇ ଋଣ ଶୁଝି ଦେଲା ।
କାହାର ଧାରୁଆ ବୋଝ ହେଲା ନାହିଁ
ନିଜ ବଳ ଅନୁସାରେ
ଯିଏ ଡାକି ଦିଏ ତାହା କାମ ସିଏ
କରୁଥାଇ ଯାଇ ଖରେ ।
ବୟସ ବଢିଲା ନିଜ ବୋଝ ଭାର
ନିଜେ ଧରି ବୁଲେ ସିଏ
ଅନ୍ୟ ଘରେ ଯାଇ ରାତିରେ ସେ ଶୋଇ
ସେଇ ପଇସାରେ ଖାଏ ।
ବୁଟ ବଡଚଣା ଯାହା ବି ସେ ବିକେ
ଚୋରେଇ ଛଡେଇ ନ୍ୟନ୍ତି
ବାର କଥା କହି ଦାଣ୍ଡରେ ଘୋଷାରି
ବିଧା ଗୋଇଠା ମାରନ୍ତି ।
ଧର୍ମକୁ ଡାକିଣ ପଡି ରହେ ସିଏ
ଏ ବୋଝ ପାରେନା ସହି
ଖାଇବାକୁ ଦେବା ଦୂରର ତ କଥା
ମୁହଁ ସେ ଦେଖନ୍ତି ନାହିଁ ।
ଜନମରୁ ବୋଝ ବୋହିଲା ଏମିତି
ମରଣ ପର୍ଯ୍ୟନ୍ତ ସିଏ
ଏଇ ବୋଝ ଅଟେ ଏମିତି ଗୋଟିଏ
ନା କେବେ ଭୁଲି ହୁଏ ।
ଯେଉଁ ପୁଅ ବୋହୂ ବୋଝ କହି ଦିନେ
ଘରୁ ବାହାର କରିଲେ
ସେଇ ପୁଅ ବୋହୂ ହୋଇଲେ ଦରିଦ୍ର
ବାର ଦୁଆର ବୁଲିଲେ ।
ଜୀବନରେ ବାପା ମାଆଙ୍କୁ ଯେ କେହି
ବୋଝ ବୋଲି ଭାବ ନାହିଁ
ଘରର ସିଏ ତ ମୁରବୀ ଅଟନ୍ତି
ଘର ମେରୁ ଦଣ୍ଡ ସେହି ।
ବଞ୍ଚିଥିବା ବେଳେ ବୋଝ ସେ ଭାବନ୍ତି
ମଲା ପରେ ବୁଝି ଥାନ୍ତି
ସେତେବେଳେ ଆଉ କି ଲାଭ ବା ଥାଏ
ସେ କଣ ବଞ୍ଚି ଆସନ୍ତି ।