ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ନୁହେଁ ବନ୍ଧୁ ପଣରେ
ଦିଅ ମେଲିଦିଅ ବାହୁ
ଯୋଛନା ଝରିବ ଅନ୍ଧାରୀ ମୂଲକେ
ଲିମ୍ବରୁ ଝରିବ ମହୁ ।
ସୁଖବାସୀ ସେହି ମାଟିର ମଣିଷ
ଭଲପାଅ ତାଙ୍କୁ ଯଦି
ପ୍ରସାରିତ କର ହୃଦୟକୁ ତୁମ
ରକତର ମୋହ ତେଜି ।
ଯାହାଙ୍କୁ ଭାବୁଛ ବଇରୀ ବୋଲିରେ
ସିଏତ ତୁମର ଭାଇ
ଭାଇର ସଂସାର କେମିତି ଉଜାଡ
ବୁହାଇ ରକତ ନଈ !
କଥାରେ ପଥର ପାଣି ହୁଏ ଯହିଁ
କମାଣରେ କିବା କାମ!
ନୀରିହ ଆଖିରୁ ସ୍ବପ୍ନ ଲୁଟିନେବା
ସିଏକି ମଣିଷ ଧର୍ମ ?
ସମାଜ ସ୍ରୋତରେ ମିଶିଗଲେ ଭାଇ
ଖୋଲିବରେ ନୂଆ ବାଟ
ନିଶିଥ ଆକାଶେ ସୂରୁଯ ଉଇଁବ
ହସିବ ଫୁଲର ହାଟ ।
ନାରଣ ପାଟଣା ,ରାଇଘର ଅବା
ବନ୍ଧୁ ଗାଁଆ ପଥେପଥେ
ବାରୁଦର ଗନ୍ଧ ମିଳେଇ ଯିବରେ
ଚଇତି ପବନ ସାଥେ ।
ଡଙ୍ଗର ସେପାରି ତଇଳା ଜମିରେ
ହସିବ ଅଳସୀ ଫୁଲ
ନାଚିବେ ଧାଙ୍ଗଡା ନାଚିବେ ଧାଙ୍ଗେଡି
ବାଜିବ ମହୁରୀ ଢୋଲ ।
ହସିବ ଆକାଶ ହସିବ ପୃଥିବୀ
ହସିବ ପାହାଡି ଗାଁ
ଫରଫର ହୋଇ ଉଡିବ ତ୍ରୀରଙ୍ଗା
ଦୁନିଆ ଦିଶିବ ନୂଆ ।
