ବଳ
ବଳ
#ସିଧାକଥା -୮୧
ଭାଗ୍ୟବଳେ ଜୀବ ଜନ୍ମ ପାଇଥାଏ ସୁଖ ଦୁଃଖ ସାଥେ ନେଇ,
ସମୟ ବଳରେ ମୃତ୍ୟୁ ଲଭେ ପୁଣି କିଛିଦେଇ କିଛିନେଇ |
କର୍ମବଳେ ଆମେ ମଣିଷ ମନରେ ରହିପାରୁ କିଛିଦିନ,
ଜ୍ଞାନ-ପୁଣ୍ୟବଳ ଆରଜନମକୁ ନେଇଥାଉଁ କରି ଧନ |
ମନ-ବୁଦ୍ଧି ବଳେ ସମ୍ଭବ ହୋଇବ ଯେତେ ସବୁ ଅସମ୍ଭବ,
ଧନବଳେ କିଣି ପାରିବା ଦରବ ଯିଏ ଯେତେ କହୁ ନେବ |
ଦେହର ବଳରେ ଲଢିହେବ ପୁଣି କରିହେବ ଭାରିକାମ,
କ୍ରୋଧବଳେ ଆମେ ଡରାଇ ପାରିବା ଲୋକଟି ଥିଲେ ନରମ |
ଲୋଭବଳେ ଆମେ ପାପ ଅର୍ଜିଥାଉଁ କରିବାକୁ ଅନୁତାପ,
ମୋହବଳ ଯଦି ପ୍ରବଳ ହୋଇବ ଦୁଃଖ ଲଭିବା ନିଶ୍ଚିତ |
ମାୟାବଳେ ପ୍ରାଣୀ ନିଜ ଅଜାଣତେ ଅନ୍ଧହୋଇ ଯାଇଥାଏ,
ଈର୍ଷାବଳ ବଢେ କ୍ଷତି କରିବାକୁ ନିଜେ ଆଗ ଜଳିଯାଏ |
ରୋଗବଳ ଯଦି ବଢି ବଢିଯାଏ ରୋଗୀହୁଏ ଅସହାୟ,
ବିଶ୍ଵାସର ବଳେ ମିଳନ୍ତି ଈଶ୍ଵର ସତ୍ୟବଳେ ହୁଏ ଜୟ |
