ବିଲେଇ ବହି।
ବିଲେଇ ବହି।
ସେ କାହୁଁ ବୁଝିବ ବର୍ଣ୍ଣର ବୋଧ
ନୀଳ ବର୍ଣ୍ଣ ଶୃଗାଳ ସାଜିଛି ଯିଏ
ଅଣ ଓଡିଆଙ୍କ କପଟ ଜାଲରେ
ନିଇତି ଜୀବନ ସେ ପୁଣି ଧୁଏ
ସେ କାହୁଁ ଲଭିବ ଭାଷାର ମମତ୍ଵ
ସଂକୀର୍ଣ୍ଣତା ପଥେ ଧାଉଁଛି ସିଏ
ମୁଣ୍ଡ ଟେକିବାକୁ ଦୁନିଆ ଦାଣ୍ଡରେ
କପଟି ପାସାର ଚକ୍ରାନ୍ତ ସହେ
ସେ କାହୁଁ ହେଜିବ ଗଭୀର ଯନ୍ତ୍ରଣା
ଖଲିକୋଟ ରାଜ ପ୍ରାସାଦ ଦେହେ
ଭିନ୍ନ ହୋଇ ତୁହି, କି ଲାଭ ପାଇବୁ
ଜନ୍ମକଲା ମା ଛିଣ୍ଡା କନ୍ଥାରେ ଶୁଏ
ସେ କାହୁଁ ଚିନ୍ତିବ ଥଟା ପରିହାସ
ଶୁଣିଥିଲେ କେତେ ଇତିହାସ ଗାଏ
ଦିବସ ରଜନୀ ଏକାକାର କରି
ମର୍ଯ୍ୟାଦା ଆଣିଲେ ଜଗତ କହେ
ପ୍ରାଚୀନ ଯା ଲିପି ଅଛି ରେ ପ୍ରମାଣ
ଗର୍ଵରେ ଛାତି ଫୁଲିଣ ଯାଏ
ଶାସ୍ତ୍ରୀୟ ମାନ୍ୟତା ପାଇବାଟା
ସିନା ଭାଷାର ମହତ୍ତ୍ୱ ବଢ଼ାଇ ଦିଏ
ଭାଷାର ଯଜ୍ଞରେ ପୂର୍ଣାହୁତି ଦେବା
ଘୃତ ଢାଳୁଥିବା ଅନନ୍ତ ଯାଏଁ
ହେବରେ ମଙ୍ଗଳ ଉଡ୍ର ପ୍ରଦେଶର
ଦଶ ଦିଗପାଳ ସାକ୍ଷୀ ଯେ ରହେ
