ବିକର୍ଷିତ ଚିତ୍ତ
ବିକର୍ଷିତ ଚିତ୍ତ
ଜାଣ କି ନଜାଣ ,ମୁଁ ତ ଜାଣେ
ବୈରାଗ୍ୟର ଦ୍ବିଧାରେ ବଞ୍ଚିଅଛ ତୁମେ
କରୁଣାରେ ବି ବୁଡିଛ
ଅସହାୟ ମୋ ଏକାକୀତ୍ବ ଦେଖି
ଆଉ ଆତ୍ମ ଶୁଦ୍ଧିରେ ବି ମଗ୍ନ ଥିବ
ଆପଣାର ପ୍ରତିଦ୍ଵନ୍ଦୀ ସାଜି ।
ଅନିଶ୍ଚିତ କ୍ଷଣଭଙ୍ଗୁର ଏ ଇଲାକା
ସୀମିତ ହାରଜିତର ଧର୍ମକ୍ଷେତ୍ରଟିଏ
ନିଜ ସାଥେ ନିଜେ ଯୁଝି
ତିଆରିଛ ଭିନ୍ନ ପୃଥିବୀଟେ
ଆବର୍ତ୍ତନ କରିବାକୁ ନିଜ ଚାରିପଟେ ।
ଦୁର୍ବିସହ ତୁମ ବିନା କ୍ଷଣେ ବି ଏଠାରେ
ବଞ୍ଚିବାକୁ ବାଧ୍ୟ ଆଜି ନିଜ ଛାଇ ତଳେ
ଯାତନାର ବଗିଚାରେ
ପତ୍ର ପୁଷ୍ପ ଦେଖ ନିଇତି ଝାଉଁଳେ
ଅଥଚ ତାରା ଫୁଟାଉଛ ଶୀତଳ ଅଞ୍ଚଳେ ।
ଆପତ୍ତି ନାହିଁ ଥାଅ ତୁମେ ସୁଖେ ନିରାପଦେ
ଜାଣିଛ ମୁଁ ଧର୍ମ ପ୍ରିୟ ଅମୃତ ପ୍ରୟାସୀ
ତୁମ ପାଇଁ ସାଜିଥିବି ବ୍ରଜଧାମ ବାସୀ
ଏହି ଜନ୍ମ ସରିଯିବ ଏମନ୍ତ ରୂପରେ
ଲୀଳା ସାରି ଜଗିବାକୁ ଆର ଜନମରେ ।
ହୃଦୟ ଟିଟିଭ ଦିନେ ଯିବ ଉଡିଉଡି
ନୂତନ ସଙ୍ଗୀତର ସ୍ବରଟିଏ ଛାଡି
ସ୍ଵପ୍ନର ସୁନ୍ଦର ଏକ ପୃଥିବୀଟେ ଗଢି
ରହିବାକୁ ତୁମ ସାଥେ ପ୍ରୀତି ଜଳେ ବୁଡି ।
ପୂରୁବ ଆକାଶ ସମ ସଦା ଅନାବିଳ
ରହିଥାଅ ଦୂରେ ତୁମେ ହାସ୍ୟ ଉଜ୍ଜଳ
ଲଭୁଥିବି ତୃପ୍ତି ପଢି ଜୀବନ ଦଲିଲ
ଜନ୍ମେ ଜନ୍ମେ ଅଶ୍ରୁସିକ୍ତ କବିତା ମୋ ନୀଳ ।
ପ୍ରସନ୍ନ କୁମାର ମାଦଳା
