ବିଜ୍ଞାନ ଦେଇଛି କେତେ ଯେ ଖୁସି
ବିଜ୍ଞାନ ଦେଇଛି କେତେ ଯେ ଖୁସି
ଲାଗଇ ଛୋଟିଆ ବିଶାଳ ପୃଥିବୀ
କେବଳ ବିଜ୍ଞାନ ଅବଦାନରେ
ତାହାକୁ ଭେଟୁଛୁ ପ୍ରତିଟି ମୁହୂର୍ତ୍ତ
ସକଳେ ନିଜର ଚଲାପଥରେ ।
ନିତ୍ୟ ବ୍ୟବହାର୍ଯ୍ୟ ଯେତେ ସାମଗ୍ରୀଠୁ
ବାସଗୃହ ସହ ଖାଦ୍ୟ, ପୋଷାକ
କେଉଁଥିରେ ନାହିଁ ବିଜ୍ଞାନର ଛାପ
କହି କି ପାରିବେ କେହି ଭୂଲୋକ ?
ଛାପାଖାନା ପାଇଁ ତାଳପତ୍ର ପୋଥି
ଦେଖିପାରେ ନାହିଁ ଏବର ପିଲା
କମ୍ପ୍ୟୁଟର ଦ୍ବାରା ଜାତକ ଗଣନା
ବ୍ଲଡ଼ ଗ୍ରୁପ ଦେଖି ବିବାହ ହେଲା ।
ପାଣିରେ ବୁଡ଼ିଲେ ଆକାଶେ ଉଡ଼ିଲେ
ରାନ୍ଧୁଣିଆ, ପରଷୁଣୀ ରୋବଟ
ନିଜ ଘରେ ବସି ଅଫିସ୍ କାମଟି
ଯୋଗାଯୋଗ ରଖି ଇଣ୍ଟରନେଟ ।
ପାଠପଢ଼ାଠାରୁ ନଥିପତ୍ର କାର୍ଯ୍ୟ
ସବୁ ହେଉଅଛି ଏହା ମାଧ୍ୟମେ
ଟଙ୍କା ଜମାଠାରୁ ଉଠାଣ ପର୍ଯ୍ୟନ୍ତ
କିଣାବିକାରେ ବି ଲାଗେ କରମେ ।
ଦେଶବିଦେଶର ଖବର ପହଞ୍ଚେ
ସବୁରି ପାଖରେ ଆସି ତତ୍କାଳ
ମୁହଁ ଦେଖାଦେଖି କଥା କୁହାକୁହି
ମାଧ୍ୟମ ବନିଛି ଭିଡ଼ିଓ କଲ ।
ଅଜଣା ଅଛପା ନାହିଁ ବି କାହାକୁ
ବିଜ୍ଞାନ ଦେଇଛି କେତେ ଯେ ଖୁସି
ସୁଖରେ ସଭିଏଁ ବାନ୍ଧିବାକୁ ବସା
ସବୁରି ମଥାକୁ ଦିଏ ଆଉଁସି ।।
