ବିଜନତା
ବିଜନତା
ଭିଡ଼ ଭିତରେ ନିଜକୁ ହଜେଇ ସାରିବା ପରେ
ନିୟତି ଜୁଆରେ ଆଜି ହାରିଗଲା ପରେ
ସମ୍ପର୍କର ଚକ୍ରବୁହ୍ୟରେ ପଡ଼ିଗଲା ପରେ
ଖୋଜୁଛି ନିଜକୁ ମୋ ବିଜନତାର ଭିତରେ।।
ବିଶ୍ୱାସର ଶେଷ ଦୀପ ଲିଭିଗଲା ପରେ
ଶେଷ ପ୍ରହରର ସ୍ୱପ୍ନ ଅଧା ରହିଗଲା ପରେ
ପ୍ରେମପୁଷ୍ପ କୀଟଦ୍ରଂଷ୍ଟ ହୋଇଗଲା ପରେ
ଖୋଜୁଛି ନିଜକୁ ମୋ ବିଜନତାର ଭିତରେ।।
ପ୍ରିୟଜନ ବାଟଭାଙ୍ଗି ଚାଲିଗଲା ପରେ
ଛାଇର ବି ବିପରୀତ ଆଚରଣ ପରେ
କଦମ୍ବ ବନରେ ନିଆଁ ଲାଗିଗଲା ପରେ
ଖୋଜୁଛି ନିଜକୁ ମୋ ବିଜନତାର ଭିତରେ।।
ବସନ୍ତର ଶେଷରାଗ କ୍ଷୀଣ ହେବା ପରେ
ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ
ନିଦାଘର ବିଳମ୍ବିତ ତୃଷାର୍ତ୍ତ ପ୍ରହରେ
ଖୋଜୁଛି ନିଜକୁ ମୋ ବିଜନତାର ଭିତରେ।।
ବହୁବାର ତୁଛାଟାରେ ଠକିଯିବା ପରେ
ଶ୍ୱେତ ଶବ୍ଦରେ ମିଛରଙ୍ଗ ଲାଗିଗଲା ପରେ
ଖୋଜୁଛି ନିଜକୁ ମୋ ନିରବତାର ଭିତରେ
ହଜିଲା ଅହଂତ୍ୱକୁ ଖୋଜିବା ଲକ୍ଷରେ।।
