ଭୂମିପୁତ୍ର
ଭୂମିପୁତ୍ର
ଆମରି ଗାଆଁର ଭୂମିପୁତ୍ର ସେହି ବାଙ୍କୁଆ ଅଜା
ଯାହର ପାଇଁ କି ଆମ ଏ ଗାଆଁରେ ଉଡୁଛି ଧ୍ବଜା।
ସ୍ବପ୍ନଟି ତାଙ୍କର ସ୍ବର୍ଗଠାରୁ ଉଚ୍ଚ କର୍ମର ବଳେ
ପ୍ରେମର ବଳରେ କେଇ ଘର ସହ ଗାଆଁଟି ତୋଳେ।
କୁଳୁକୁଳୁ ନଦୀ କୁମୁଟିଆର ସେ ସ୍ବଚ୍ଛର ଜଳ
ପିଆଇ ଜୀବନ ବଞ୍ଚିବା ପାଇଁକି କରିଲେ ଦଳ।
ସମୟର ତାଳେ ସେହି ନଦୀକୂଳେ ମିଳେ ଅମୃତ
ବରୱେଲ ବସାଇ ଗାଆଁ ଯାକର କରିଲେ ହିତ।
ତାରକେଶ୍ବର ଶିବ ମନ୍ଦିରଟି ଶିବରାତ୍ରୀରେ
ମେଳା ବସୁଅଛି କିଣାବିକା ପାଇଁ ଆନନ୍ଦ ଭରେ।
ଶିକ୍ଷାର ସୌଧଟା ବହନ କରୁଛି ଓଡି଼ଶା ବୁକେ
ଚାକିରି ବେପାରୀ ଲୋକଙ୍କ ବେଉସା କେହି ନ ଶୋକେ।
ସକାଳରୁ ସଞ୍ଜ ବାଜୁଛି ମାଇକ ସଂଘ ବିଭିନ୍ନ
ବେଲ ପାହାଡ଼ଟା ସୂଚେଇ ଦେଉଛି ଧର୍ମ ଅଭିନ୍ନ।
ଶିକ୍ଷା ଆଉ ସ୍ବାସ୍ଥ୍ଯ ଗାଆଁରେ ଅଭାବ ନାହିଁଟି ଆଉ
ତେଣୁ ଆମ ଗାଆଁ ଟାଙ୍ଗରତଳିର ବହୁତ ଭାଉ।
ଗର୍ବର ସହିତ ମରି ଗଲାବେଳେ ଛାଡି ଫୁଲେଇ
ବାଙ୍କ୍କୁଆ ଅଜାଙ୍କ ମାଟିମୁଠେ ମୁଣ୍ଡେ ଦେଲେ ସେ ଥୋଇ।
ଆଜି ସେ ନାହାନ୍ତି ରହି ଯାଇଛନ୍ତି ଗାଆଁର ଟେକ
ଆମେ କିନ୍ତୁ ସବୁ ତାଙ୍କରି ପାଇଁ ହିଁ ରହିଛି ଭେକ।
