ଭୁଲିଗଲି ମୁହିଁ ସତ
ଭୁଲିଗଲି ମୁହିଁ ସତ
ସ୍ମୃତିକୁ ମାଗିଲି ମିଠା ସପନ ଲୋ
ଛଳ ଛଳ କଲା ମୋର ହୃଦୟ,
ପ୍ରୀତିକୁ ମାଗିଲି ମୋ ପ୍ରିୟା ମନକୁ
ଢାଳି ଦେବ କାଳେ ନୂଆ ଉଦୟ ।।
ନଦୀକୁ ମାଗିଲି ଦରଦୀ ଭାଷା ଲୋ
ସେତ ଭରି ଦେଲା ଅନେକ କୋହ,
ରାତିକୁ ମାଗିଲି ପୁନେଇ ଜହ୍ନ ଲୋ
ହୃଦୟେ ଖଞ୍ଜିଲା ଅପୂର୍ବ ମୋହ ।।
ଫଗୁଣ ଟିକେ ମାଗିଲି ସୁଷମା
ରଙ୍ଗରେ ବୁଡିଲା ମୋର ମନଟା,
ବରଷା ବର୍ଷିଲା ଚାରୁ ଛନ୍ଦ ଦେଇ
ଭିଜାଇ ଦେଲା ସେ ପୁରା ଦେହଟା ।।
ସବୁଜ ବନକୁ ମାଗିଲି ଗହଣା
ସଜେଇ ଦେଲା ସେ ମୋର ମନକୁ,
ସକାଳଟା ଆସି ପାଟ ଶାଢ଼ୀ ଦେଲା
ଭୁଲି ଗଲି ମୁହିଁ ପୁରା ସତକୁ ।।
