ଭୁଲ୍ ଠିକଣା
ଭୁଲ୍ ଠିକଣା
ବୃଦ୍ଧାଶ୍ରମେ ଜଣେ ବୃଦ୍ଧ କାନ୍ଦୁଥିଲେ
ଆକ୍ଷିରୁ ଗଡାଇ ଲୁହ।
ସହ ବାସୀ ଆସି ପଚାରିଲେ ବସି
କିମ୍ପାଇଁ କାନ୍ଦୁଛ କୁହ।।
ଲୁହପୋଛି ବୃଦ୍ଧ କହିଲେ ପୁଅକୁ
ଲେଖିଲି ଦୁଃଖ ଜଣାଇ ।
ପନ୍ଦର ଦିନର ଅନ୍ତରେ ଡାକିଆ
ଚିଠିଟି ଦେଲା ଫେରାଇ।।
ପାଇବା ଲୋକର ଭୁଲ୍ ଠିକଣା
ଲେଖା ଅଛି ଚିଠି ପରେ ।
ଭୁଲିବି ନାହିଁ ମୋ ଘରର ଠିକଣା
ଜନମିଛି ଯେଉଁ ଘରେ।।
ଅଣଦେଖା କେବେ କରି ତ ନଥିଲି
ପିତା ମାତାଙ୍କ ସେବାରେ ।
ବାପ ମା ଦୁହେଁ ଆକ୍ଷି ବୁଜିଥିଲେ
ମୋହରି କୋଳେ ଶାନ୍ତିରେ।।
ବୁଢ଼ୀ ଚାଲିଗଲା ସୁଖେ ଆରପାରି
ଏକୁଟିଆ କରି ମୋତେ ।
ସେହି ଦିନ ପରେ ପୁଅ ବୋହୁ ମିଶି
ହୀନସ୍ଥା କରିଲେ କେତେ ।।
ବରଷକ ପରେ ନେଇଯିବେ କହି
ଛାଡିଗଲେ ଏ ଆଶ୍ରମେ ।
ଦୁଇ ଯାଇ ତିନି ବରଷ ବିତିଲା
ଆସିଲେନି କେହି ଦିନେ।।
ଡାକିଆ କହିଲା ଘରବାଡି ବିକି
କାହିଁ ଗଲା ତୁମ ପୁଅ ।
ଭୁଲ୍ ଠିକଣା ଆଉ କାହା ଘରେ
ଚିଠି ଦେଇଥାନ୍ତି କୁହ ।।
