STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଭୁଲ୍ ବୁଝିବନି ସାଆନ୍ତେ

ଭୁଲ୍ ବୁଝିବନି ସାଆନ୍ତେ

1 min
14K


ବାସନ୍ତୀ ଦାସ


ମୁଁ ଆଉ ହଳ ଧରୁନି ସାଆନ୍ତେ

ଧରୁନି ମଇ କି ଜୁଆଳି

ବଳଦ, ବେଙ୍ଗଳା, କୋଡି, କୋଦାଳ

ଏସବୁ ପଚାରେ କିଏ !!!

ହଳରେ ଲାଗିଲାଣି ଉଈ,

ମୋ ରାଇଜରେ ମୁଁ ଏବେ ରାଜା ସା’ନ୍ତେ

ପରିତ୍ୟକ୍ତ ପାଞ୍ଚଣକୁ ଧରି

ମୁଁ ପୁଣି ଟଙ୍କିକିଆ ଚାଉଳର

ନିୟମିତ ଭିକାରି l

କେବେ; ରାତି ପାହିଲେ

ଲୋଡା ହେଉଥିଲା

ପାଛିଆଏ ଚାଉଳ ଭଜାକୁ

ବେଲାଏ ନାଲି ଚା’ ତ

କେବେ; ପିତା ଶୁଖୁଆ ପୋଡା ସହ

ବେଲାଏ ବାସି ପଖାଳ l

ଏବେ ସେସବୁ ଚଳୁନି ସାଆଁନ୍ତେ

ମୁଁ ତୁମ ପରି ହୋଇଛି

ପାସ୍ତା, ଚାଉମିନ୍, ମ୍ୟାଗି ଆଉ

କେବେ ପାଊଁ ରୁଟିରେ

ମଖନ କି ଜାମ୍ ଲଗାଇ

ସକାଳର ଜଳଖିଆ ଖାଉଚି l

ମୁଁ ଆଉ ଲୁଙ୍ଗି କି ଗାମୁଛା ପିନ୍ଧି

କଛାମାରି କାଟୁନି ବିଲରୁ ଧାନ

ବୋହୁନି ମୁଣ୍ଡରେ ବିରି କି

କୋଳଥର ଗୋଛା

କାଦୁଅରେ ଲଟପଟ ହୋଇ ଆଉ

ବାଛୁନି କିଆରିରୁ ଘାସ କି ବାଳୁଙ୍ଗା

ଢୁ, ଢୁ,ବର୍ଷାରେ, ଡହ ଡହ ଖରାରେ କି

ହାଡ ଭଙ୍ଗା ଶୀତରେ ସାଆଁନ୍ତେ l

ଏବେ ଆଉ ଦଉଡୁ ନାହିଁ

ବଳଦ ପଛରେ ହୋ ହୋ ହୋଇ

ଶଗଡ, ବେଙ୍ଗଳା କି କଣ୍ଟିଧରି

ତୋ, ବଳଦ ପଛରେ

ମୁଁ ଏବେ କାମରୁ ମୁକ୍ତ ସାଆଁନ୍ତେ

ସେଥିପାଇଁ ଗାଁ ଚଊପାଢିରେ

ଚବିଶ ଘଣ୍ଟା ଖଟି ମୋର

କେବେ ତାସ୍ ପାଲିରେ ତ

କେବେ ଦେଶୀ କି ବିଦେଶୀ ପାନୀୟର

ମଜା ନେବାକୁ ଖାସି ମାଉଁସ ସାଥେ

କ୍ଳବରେ କି ତୋଟାରେ l

ତେମେ ଆପଣେ

ଭୁଲ ବୁଝିବେନି ସାଆଁନ୍ତେ

ସଉକ୍ କରିବା

ତୁମପରି ବାବୁମାନଙ୍କର

ନୁହେଁ ଏକ ଚାଟିଆ ଅଧିକାର

ଏକଥା ଆମକୁ ଶିଖାଇଛନ୍ତି ସର୍ଦ୍ଦାର l

ତେଣୁ ଆମର ଅମାର ଭରୁଛି

ଟଙ୍କିକିଆ ଚାଉଳ, ଗହମ, ଚିନିରେ

ଆଉ ପେଟ ଭିତରୁ ଜୁଇ ଯାଏ

ସବୁ ମୋ ଖାଉଛି ସର୍କାର

ଯାହା ଯେତେବେଳେ ଦର୍କାର l

ଭୁଲ ହୁଝିବନି ସାଆଁନ୍ତେ

ଆମେ ଆଉ ତମ ପା’ ପୋଛ ନୁହଁ

ଭୋଟ ବେଳେ ବେଶି ଆମର ଦର୍କାର

ଆମେ ପୁଣି ଏବେ ଖାସ୍ ଲୋକ ନେତାଙ୍କର

ଆମେ ହିଁ ନିର୍ବାଚନ ବୈତରଣୀ

ପାରି ହେବାର ଦର୍କାର

ଏ କଥା ଶୁଣାଉଛନ୍ତି ସର୍କାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics