ଭରମୁ ମୁକତି
ଭରମୁ ମୁକତି
ପରାଚି ବୀଚିରେ ଅରୁଣିମା ବିଞ୍ଚି
ପ୍ରଭାତୀ ବଧୂଟି ଗୋମୟକୁ ସିଞ୍ଚି
କରେ ତୁମ ଆବାହନ,
ହେ ବିଶ୍ୱକଲ୍ୟାଣ ତୁମ ଆମନ୍ତ୍ରଣ
କରିବା କାରଣ ତୋଳଇ ତୋରଣ
ଆକାଶ ପଥେ ତପନ ।
ଜନପଦ ଜନ ତୁମରି ଜଣାଣ
ଗାଏ ନିବେଦନ ସୁରେ,
ଜନ ପଥ ଜନ ତୁମରି ସ୍ମରଣ
କରେ ଆବେଦନ ବାରେ ।
ଗୃହସ୍ଥ ସନ୍ନ୍ୟାସୀ ନିଜ ଠାବେ ବସି
କରନ୍ତି ତୁମ କୀର୍ତ୍ତନ,
ଯୋଗୀ ବୈରାଗୀ ଭୋଗୀ ଅବା ରୋଗୀ
କରନ୍ତି ତୁମ ମନନ ।
କୀଟରୁ ପଟଙ୍ଗ ସ୍ଥାବର ଜଙ୍ଗମ
ଆପଣା ଆପଣା ପୁରେ
ଜଡ଼ରୁ ଜଗତ ଚୈତ୍ୟ ରୁ ଅଚେତ
ତୁମ ସମ୍ବୋଧନ କରେ ।
ମୁଁ ଏକା ଅଧମ ଅବୋଧ ଅକର୍ମ
ତୁମକୁ ଦିଏ ପାସୋରି,
ଆପଣା ପଥରେ ଆପଣା ସ୍ୱାର୍ଥରେ
ଚାଲୁଥାଏ ଆଗୁସରି ।
କିଏ ଅବା ପାପ ନଥାଏ ସନ୍ତାପ
ନିଜ ପାଦେ ଧରି ଦମ୍ଭ
କେଉଁ କର୍ମ ପୁଣ୍ୟ ନକରେ ମୁଁ ଗଣ୍ୟ
ଭରି ଚାଲେ ଶୂନ୍ୟ କୁମ୍ଭ ।
କେଡେ ଦୟାବନ୍ତ ତୁମେ ନ୍ୟାୟବନ୍ତ
ରଖିଛ ମୋ ଠାରେ ଦୟା,
କେତେ ପରକାରେ ବୋଧିଛ ମୋ ମନ
ଶୋଧିଛ ମୋହରି କାୟା ।
ଏତିକି ସୁଦୟା ଏତିକି ସୁଦଶା
ରଖିଥାଅ ମହାବାହୁ,
କରମ ଧରମ ସରମ ମରମ
ଭରମୁ ମୁକତି ପାଉ ।