ସାର୍ଥକ କବିତା
ସାର୍ଥକ କବିତା
ସରସ୍ୱତୀ ସୁଧା ସର ପାନ କରି
ସାର ଯା ହୁଏ ସଞ୍ଚିତ,
ସାରସ୍ୱତ ସିଦ୍ଧି ଲାଭ କଲାପରେ
ସେ କୃତି ହୁଏ ସାହିତ୍ୟ ।
ବାଣୀ ଯେବେ ବୀଣା ଜିଣା ମନଜିଣା
ବୀଣାପାଣି ପୁତ୍ର କହି,
ବାକ୍ୟରେ ବିକୃତ ନୁହେଁ ଯାର କୃତ
ବାଗ୍ଦେବୀ ବରଜ ସେହି ।
ବରଦା ଶାରଦା ତାର ହୃଦେ ସଦା
ବିହରନ୍ତି ବିଚରନ୍ତି,
କୁଟିଳ ଜଟିଳ ଗରଳ ଗୀରକୁ
ବରଜିବି ବିଚାରନ୍ତି ।
ବରଜୀବୀ ବରମନା ବରପୁତ୍ରେ
ବରଷନ୍ତି କୃପାବାରି,
ସରଳ ତରଳ ଯାହା ମନ ତଳ
ସେହି ସିନା ଯୁକ୍ତ ଶିରୀ ।
ଶ୍ରଦ୍ଧା ସରାଗରେ ଶାନ୍ତି ସୁଧା ସୁରେ
ଯା ବାଣୀ ନଛୁଏଁ ସ୍ନେହ,
ଭଲ ନାଟୁଆଟେ ବୋଲାଇବ ସିନା
ଭଲ ମଣିଷଟେ ନୁହଁ ।
ପଦକୁ ପଦରେ ବାନ୍ଧିଦେଲେ ଯଦି
ହୋଇପାରନ୍ତା କବିତା,
ପଦେ ପଦେ ତେବେ କବି ପଦପାତେ
ଧରା ଧରନ୍ତା ସବିତା !
ଫବିତା ଫାନ୍ଦରେ ଯେତେ ଫୁଲିଲେ ବି
ଫୁଟିବନି ଫୁଲଟିଏ,
ନର୍ଦ୍ଦମା ପଙ୍କରେ ପଙ୍କଜ ଫୁଟିବା
ଦେଖିଛ କି କୁହ କିଏ ?
ଶବ୍ଦ ଶର ସଂଯମତା ନରହିଲେ
ତୁଣ୍ଡ ତୁଣୀରରୁ ଫିଟେ,
କାହା ହୃଦ କାଟେ କାର ମଥା ଫାଟେ
କାହାର ଆତ୍ମାକୁ ଫୁଟେ ।
ଶବ୍ଦ ବ୍ରହ୍ମ ଶକ୍ତି ନୁହେଁ ଅତି ଉକ୍ତି
ଏକଥା ବୁଝିନି ଯିଏ,
ଶବ୍ଦ ଶବଟିଏ ତାହା ପାଇଁ ସିନା
ତାକୁ ବୁଝାଇବ କିଏ ?
ସାହିତ୍ୟ ସାଧକ ନୁହେଁ କାକ ବକ
କକବକ ତାର ବାଣୀ,
ଶୁକ ପିକ ପରି ମରମକୁ ଛୁଏଁ
ହୃଦୟକୁ ପାରେ ଜିଣି ।
ଏଣୁ ତେଣୁ କଥା କହେ ସିନା ଶିଶୁ
ଅବୋଧ ଅଜ୍ଞାନ ହୋଇ,
ବୁଦ୍ଧିରେ ବିଚାରି ଜ୍ଞାନକୁ ପଚାରି
ବୁଦ୍ଧିଜୀବୀ ସିନା ସେହି ।
ସଂପ୍ରୀତି ସଂହତି ସଦ୍ଭାବ ଭାବରେ
ଆପଣା କରିବା 'ପରେ',
ସମବେଦନାରେ ବେଦନା ହରିବା
କବି ଯେ ହୋଇବା ପରେ ।
ମାନବିକ ଧର୍ମ ହେଉ ଆମ କର୍ମ
କାୟ ମନ ବାକ୍ୟ ସହ
'ସାର୍ଥକ କବିତା' ହୋଇବ ଜୀବନ
ରଖିଥିବା ଏଇ ଲୟ ।