ଭ୍ରମଣ
ଭ୍ରମଣ
ମାନବର ଏଇ
ଜିଜ୍ଞାସୁ ମନ
ପ୍ରଧାବିତ ନିରନ୍ତର ।
ଜାଣିବାକୁ ନାନା
ଶିଖିବାକୁ ତଥ୍ୟ
ହୋଇଥାଏ ତତପର ।
ଜ୍ଞାନ ପରିସର
ବୃଦ୍ଧିପ୍ରାପ୍ତ ହୁଏ
ଦର୍ଶନେ ଭିନ୍ନ ଦୃଶ୍ୟ ।
ଜ୍ଞାନ ଆହରଣ
ବଳିଷ୍ଠ ମାଧ୍ୟମ
ଭ୍ରମଣ ଅଟେ ଅବଶ୍ଯ ।
ମନକୁ ରଞ୍ଜନ
କରନ୍ତି କେତେକ
ସୌନ୍ଦର୍ଯ୍ୟ ପିପାସୁ କିଏ ।
ଐତିହାସିକ
ତଥ୍ୟକୁ ସଂଗ୍ରହ
କରି କେ ସନ୍ତୋଷ ପାଏ ।
ଭୌଗଳିକ ସ୍ଥାନ
କରି ଦରଶନ
ପ୍ରକୃତି ରସସ୍ଵାଦନେ ।
ବୈଜ୍ଞାନିକ ଅବା
ଗବେଷଣା ପାଇଁ
ସ୍ଵାସ୍ଥ୍ୟର ପରିବର୍ତ୍ତନେ ।
ଧର୍ମପ୍ରାଣ ବ୍ୟକ୍ତି
ଧର୍ମ ଆଚ଼ରଣ
ପାଇଁ କରନ୍ତି ଭ୍ରମଣ ।
ତୀର୍ଥସ୍ଥାନରେ
ପ୍ରବେଶ କରିଲେ
ଉଲ୍ଲସି ଉଠଇ ପ୍ରାଣ ।
କେ ଅବା ବାଣିଜ୍ୟ
ପ୍ରସାରପ୍ରଚାର
ବ୍ୟବସାୟ ପାଇଁ ଯାଏ ।
ଅନୁଧ୍ୟାନ କରେ
ଦେଶ ବିଦେଶରେ
ପଣ୍ଯଦ୍ରବ୍ୟ ଆଣିଥାଏ ।
ଉଚ୍ଚଶିକ୍ଷାପାଇଁ
ବିଦ୍ୟା ଅରଜନେ
ଶିକ୍ଷାର୍ଥୀ ଶିଷ୍ୟ ଭାବରେ ।
କୃଷି କର୍ମ ଶିଳ୍ପ
ସଂସ୍ଥାରୁ ପ୍ରତ୍ୟକ୍ଷ
ଦକ୍ଷତା ହାସଲ କରେ ।
ଲେଖକପ୍ରତିଭା
ତେଜୋଦୀପ୍ତ ହୁଏ
ଭ୍ରମଣ କରିଲେ ବିଶ୍ଵ ।
ଜ୍ଞାନବାତାୟନ
ହୁଏ ଉନ୍ମୋଚନ
ଜ୍ଞାତେ ଅନେକ ରହସ୍ୟ ।
ବିଭିନ୍ନ ଦେଶର
ଶାସନ ପଦ୍ଧତି
ରାଜନୈତିକ କାହଣୀ ।
ବିଶ୍ଵମାନବତା
ବିଶ୍ଵରଏକତା
ଧାର୍ମିକ ଚାଲିଚଳଣୀ ।
ହୁଏନ୍ସାଂ ପୁଣି
ମାର୍କୋପୋଲୋ ଆଦି
ପୃଥିବୀଭ୍ରମଣ କରି ।
ବିଶ୍ଵମାନବକୁ
ଉପକୃତ କଲେ
ଜ୍ଞାନର ମଶାଲ ଧାରୀ ।
