ଭ୍ରମଣ
ଭ୍ରମଣ
ଜୀବନର ପ୍ରତି କ୍ଷଣ ଶିକ୍ଷଣୀୟ
ବିଶ୍ୱର ପ୍ରତିଟି କୋଣେ,
ଜ୍ଞାନର ଭଣ୍ଡାର ପୁରି ରହିଅଛି
ବିସ୍ମୟ ଭରଇ ମନେ |
ଶିକ୍ଷା ଅନୁଷ୍ଠାନ ଶିକ୍ଷା ଦିଏ ସତ
ପୁସ୍ତକରେ ଯାହା ଅଛି,
ବାସ୍ତବତା ଠାରୁ ଦୂରେଇ ଯାଏ ସେ
ପ୍ରତ୍ୟକ୍ଷ ଶିକ୍ଷାରୁ ବଞ୍ଚି |
ଯେଉଁ ଶିକ୍ଷାଦାନ ପର୍ଯ୍ୟବେକ୍ଷଣରେ
ହୋଇଥାଏ ସତ୍ୟ ସିଦ୍ଧ,
ଚିରଦିନ ତାହା ମନେ ରହିଯାଏ
ସତେ ଅବା ଲିପିବଦ୍ଧ |
ମଣିଷ ଜୀବନେ ବହୁ ଅଭିଜ୍ଞତା
ଭ୍ରମଣରେ ଲଭିଥାଏ,
ଭ୍ରମଣ ବି ଏକ ଶିକ୍ଷାର ମାଧ୍ୟମ
ବଞ୍ଚିବାରେ ଲାଭ ଦିଏ |
ବହୁ ଗବେଷକ ଭ୍ରମଣ କରନ୍ତି
ଜାଣିବାକୁ ସତ୍ୟ ତଥ୍ୟ,
ବିଭନ୍ନ ସ୍ଥାନର ବିଭିନ୍ନ ବିଷୟ
ହୋଇଥାଏ ପରୀକ୍ଷିତ |
ସ୍ଥଳଭାଗ ଠାରୁ ଅନ୍ତରିକ୍ଷ ଯାଏ
ତା ସହ ସମୁଦ୍ର ବକ୍ଷ,
ମଣିଷ ମନରେ ଭରୁଛି ଅଶେଷ
ଭ୍ରମଣପାଇଁ ଯେ ଭୋକ |
ଆଜିର ବିଜ୍ଞାନ ଯୁଗରେ ମଣିଷ
ଚିର ଗବେଷଣା ରତ,
ଗ୍ରହ ଗ୍ରହାନ୍ତର ଭ୍ରମଣ କରି ସେ
ବିଶ୍ୱକୁ ଦେଉଛି ତଥ୍ୟ |
କେତେବେଳେ ଯାଏ ଉଡ଼ାଜାହାଜରେ
ରକେଟରେ ଅନ୍ତରିକ୍ଷ,
ସମୁଦ୍ର ମଧ୍ୟକୁ ଜଳ ଜାହାଜରେ
ଗାଡି ଯୋଗେ ସ୍ଥଳ ବକ୍ଷ |
ଜୀବନେ ବଞ୍ଚିବା ପାଇଁ ଯେତେ କର୍ମ
ହୋଇଥାଏ ସମାହିତ,
ଭ୍ରମଣ ହେଉଛି ତନ୍ମଧ୍ୟରୁ ଏକ
ଜୀବନେ କାର୍ଯ୍ୟ ବରିଷ୍ଠ |
ଭ୍ରମଣରୁ ମିଳେ ଅନ୍ତହୀନ ଶାନ୍ତି
ମିଳେ ବହୁ ଅଭିଜ୍ଞତା,
ଉପଭୋଗମୟ ହୁଅଇ ଜୀବନ
ହୋଇ ବିଶ୍ୱ ଏକାତ୍ମତା ।
