ଭୋକ
ଭୋକ
ହାଡର ହିଡରେ ସପନ ବୁଣୁଛି
ଦୁଃଖର ଦୋଳିରେ ବସି
ମଲାନଈ କୂଳେ ମଶାଣୀ ଡାକୁଛି
ପାଉଁଶ ମୁଠାଏ ଲେସି ।
ମାଟିର ଦେହରୁ ଝରଇ ରକତ
ଆକାଶକୁ ଚାହିଁ ଚାହିଁ
କେଉଁ ଦୂରଦେଶେ ବନ୍ଧା ପଡ଼ିଅଛି
ବରଷାର ଦେଖା ନାହିଁ ।
ଛାତିର ଛାଇରେ ସାହୁକାର ଆଖି
ପିଠିରେ ବୟସ ଭାର
ଆଖିରେ ନାଚଇ ଦଶ ପ୍ରାଣୀଙ୍କର
ଦାନା ପାଇଁ ହାହାକାର ।
ପାଞ୍ଚ ଦିନ ତଳେ ବାବୁର ଦୟାରେ
ଜଳିଥିଲା ଯେଉଁ ଚୁଲି
ସେଇ ଦିନ ମୋର ରୋଗୀଣା ମାଆ'ଟା
ସଞ୍ଜବେଳେ ଗଲା ଚାଲି ।
ମୁଠାଏ ପଖାଳ, ତେନ୍ତୁଳିର ଝୋଳ
ମିଳୁନି ଯାହାକୁ ଆଜି
ସିଏ କି ଖୋଜିବ ଖିରୀ ଓ ପଲାଉ
ବଡ ବଡ଼ିଆଙ୍କ ଭୋଜି ।
ଭୋକର ଭୂଗୋଳ ଦୁଆରେ ଖୋଜୁଛି
ଗଜା ବିହନର ଲୁହ
ଗରିବର ଦୁଃଖ କେତେଦିନେ ଆଉ
ତୁମକୁ ଶୁଭିବ କୁହ ???
