ଭୋଜି
ଭୋଜି
ଭୋଜି କରିବାଟା ଶୁଣେ ଯେବେ ମୁହିଁ
ଭାବେ ପିଲାବେଳ କଥା
ରବିବାର ଛୁଟି ଆସି ଯାଏ ଯେବେ
ଥଣ୍ଡା ହୁଏ ଆମ ମଥା ।
ଜୋର ପୋଖରୀକୁ ଗାଧୋଇ ଯାଇଣ
କାଠକୁ ଗୋଟାଇ ଆଣୁ
ବଡ ପିଲା ସବୁ ଦାୟିତ୍ବ ନିଅନ୍ତି
ଆମେ ଗପୁ ଏଣୁ ତେଣୁ ।
ଭାଗ ବାଣ୍ଟି ସବୁ ନେଇ ଆସି ଥାଉ
କେତେ ଜିନଷ ଯେ ଘରୁ
ଲଙ୍କା ଆମ୍ବ ତୋଟା ମାଳେ ବସି ଆମେ
ଭୋଜି ଆଲୋଚନା କରୁ ।
ପ୍ରତି ରବିବାରେ ଭୋଜି କରୁ ଆମେ
କେତେ ମଜା ଲାଗେ ସତେ
ଘରର ଚାଊଳ ଘରର ପରିବା
ଚାନ୍ଦା ବି ଆଦାୟ କେତେ ।
ବଡ ପିଲା ଯେବେ ବଡ ହୋଇଗଲେ
ବଣ ଭୋଜି କରି ଗଲେ
ଆମ ଭୋଜି ଆମେ ନିଜେ ବନେଇଲୁ
ସେମାନେ ଦେଖନ୍ତି ଭଲେ ।
ତାଙ୍କ ଠାରୁ ଆମେ ରାନ୍ଧିବା ଶିଖିଲୁ
ମିଳିମିଶି ସବୁ କଲୁ
ଘରୁ ଥାଳି ଗିନା ନେଇ ଯାଇ ଆମେ
ଏକାଠି ବସି ଖାଇଲୁ ।
ପ୍ରତି ରବିବାର ଭୋଜିକୁ ଦେଖିଣ
ବଡ ପିଲା ଆସି ଯାନ୍ତି
ଯେବେ ଅଣ୍ଡା ଝୋଳ ଚିକେନ୍ ହୁଅଇ
ଆମ ସାଥେ ସେ କରନ୍ତି ।
ଯେତେ ଦୂରେ ଭୋଜି ହେଉଥାଉ ପଛେ
ପିଲାମାନେ ଧାଇଁ ଯାନ୍ତି
ଥରେ ଖାଇ ଥିଲେ ଆଉ ଥରେ ପୁଣି
ମାଆ ସାଙ୍ଗେ ଯାଇଥାନ୍ତି ।
ବିବାହ ଭୋଜି ତ କେବେ ହେଉ ଥାଏ
କେବେ ପୁଣି ବ୍ରତଘର
ଶୁଦ୍ଧିକ୍ରିୟା ଭୋଜି କାର ହେଇଥାଏ
ଜନ୍ମ ଦିନରେ କାହାର ?
ଏବେ ବ୍ୟାଚ୍ ଭୋଜି କରନ୍ତି ଅନେକ
ସେ ଭୋଜି ଅତି ନିଆରା
ବହେ ଦିନ ପରେ ବନ୍ଧୁତା ମିଳନ
ଝରେ ଖୁସିର ପସରା ।
ବଡ ଦିନ ଭୋଜି ହେଇଥାଏ କେତେ
ହୁଏ ପୁଣି ନୂଆ ବର୍ଷେ
କେତେ ଆମ୍ବ ତୋଟା ନଦୀ କୂଳ ସ୍କୁଲ
ଘରେ କରେ କେ ହରଷେ ।
ଗାଆଁ ଯାତ୍ରାରେ ଯେ ହୋଇଥାଏ ଭୋଜି
ଖାଇଥାନ୍ତି କେତେ ଲୋକ
ମନ୍ଦିର ସ୍ଥାନରେ ଭୋଜି ହେଇଥାଏ
ଭକ୍ତ ଖାଆନ୍ତି ଅନେକ ।
ପିଲା ଠାରୁ ବୁଢା ସବୁ ମନେ ଥାଏ
ଭୋଜି ଖାଇବାର ଆଶା
ସମସ୍ତେ ଆନନ୍ଦେ ଭୋଜି କରିଥାନ୍ତି
ଛାଡେନି କାହାର ନିଶା ।
ଭୋଜି ମନେ ଖୁସି ଆଣି ଦିଏ ଯେତେ
ସେ ଖୁସି ମିଳେନା କାହିଁ
ଭୁଲି ହୁଏନି ସେଇ ଭୋଜି ଖୁସି ନା
କଥାରେ ହୁଅଇ କହି ।
ଭୋଜିରେ ବହୁତ ଖାଇ ହେଇ ଯାଏ
ଭାବିଲେ ଆଶ୍ଚର୍ଯ୍ୟ ଲାଗେ
ମଜା ତାମସାର ଖୁସିର ଭିତରେ
ଭୋଜି ସରି ଥାଏ ବେଗେ ।
ସବୁଠୁ ନିଆରା ଥାଏ ବଣ ଭୋଜି
ଆଣେ କେତେ ଅନୁଭୂତି
ସମୟ ସାଥିରେ ସିଏ ବହି ଯାଏ
ରହିଯାଏ ତାର ସ୍ମୃତି ।