STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୯

ବହ୍ନିକନ୍ୟା-୯

2 mins
12.1K


କୃଷ୍ଣଙ୍କ ସହିତ ଜରାସନ୍ଧର ଶତ୍ରୁତା

.....................................

ଶତ୍ରୁ ଆକ୍ରମଣରୁ ନିଜକୁ ତଥା ମଥୁରାକୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଏବଂ ଅନନ୍ତଙ୍କ ଅବତାର ବଳରାମ ଘୋର ଜଙ୍ଗଲ ଭିତରେ, ଗୋମନ୍ତକ ପର୍ବତ ଶିଖରରେ ଲୁଚି ରହି ଜରାସନ୍ଧ ଭଳି ପରାକ୍ରମୀ ଶତ୍ରୁକୁ ଧ୍ବଂସ କରିବାର ଉପାୟ ନିର୍ଣ୍ଣୟ କରୁଥିଲେ।ଶେଷରେ ସେ ଲକ୍ଷ ହାସଲ କରିବାରେ ସମର୍ଥ ହୋଇଥିଲେ ମଧ୍ୟ।


ଶତ୍ରୁକୁ ଦୁର୍ବଳ ଭାବିବା ଅନୁଚିତ ଏବଂ ବଳ ଅପେକ୍ଷା କଳରେ ପରାସ୍ତ କରିବାପାଇଁ ଚେଷ୍ଟା କରିବା ଉଚିତ।


=======


ଜରାସନ୍ଧ ଗୃହେ ବଧୂ ହେବେ ଭାଳି 

ପାଞ୍ଚାଳୀ ଗଲେ ଶିହରି,

ଶତ ବୃଶ୍ଚିକର ଦଂଶନ ଯନ୍ତ୍ରଣା 

ହୃଦ,ମନ ଦେଲା ଘାରି।


ପିତାଙ୍କ ମୁଖରୁ ଶୁଣିଥିଲେ କୃଷ୍ଣା 

ଜରାସନ୍ଧ ଉପାଖ୍ୟାନ,

ଗୋଟି ଗୋଟି ହୋଇ ମନେପଡିଲା ଯା 

କହିଥିଲେ ଯାଜ୍ଞସେନ।......


କୃଷ୍ଣ-ବାସୁଦେବଙ୍କର ଆବିର୍ଭାବ 

ଧର୍ମ ସଂସ୍ଥାପନା ପାଇଁ,

କଲେ କଂସ ବଧ,ଥିଲା ଜରାସନ୍ଧ,

ପ୍ରିୟ ଜାମାତାଟି ସେହି।


ଦୁଷ୍ଟ ଜରାସନ୍ଧ ଦୁଷ୍କର୍ମକୁ କଂସ

ପାଳୁଥିଲା ମଥୁରାରେ,

କଂସର ମୃତ୍ୟୁରେ ଅଧର୍ମର ମୃତ୍ୟୁ 

ହେଲା ମଥୁରା ରାଜ୍ୟରେ।


ଅସ୍ତି,ପ୍ରାପ୍ତି ବେନି କନ୍ୟାଙ୍କ ବୈଧବ୍ୟ

ଯନ୍ତ୍ରଣାରେ ହୋଇ ଅନ୍ଧ,

କୃଷ୍ଣ,ବଳରାମ ନାଶ କରିବାକୁ 

ପଣ କଲା ଜରାସନ୍ଧ।


ମଗଧ ବାହିନୀ ଘେନି ଚକ୍ରବର୍ତ୍ତୀ 

ଧାଡି ଦେଲା ମଥୁରାରେ,

କାଶୀ,ଚେଦି ପୁଣି ବିଦର୍ଭ ନରେଶ 

ଯୋଗଦେଲେ ତା ସଙ୍ଗରେ।


ଚାରି ବାହିନୀର ଯୁଗ୍ମ ଆକ୍ରମଣେ 

ଧରା ହେଲା ଥର ଥର,

ଧ୍ବଂସର ତାଣ୍ଡବ ସୃଷ୍ଟି କରି ଧ୍ବସ୍ତ 

କଲା ମଥୁରା ନଗର।


ବୋଲେ ଜରାସନ୍ଧ "ଗୋଟିଏ ସର୍ତ୍ତରେ 

ତ୍ରାହି ଦେବି ମଥୁରାକୁ,

ସମର୍ପଣ ଯେବେ କରିବ ମୋହସ୍ତେ,

ପାଷଣ୍ଡ ରାମକୃଷ୍ଣଙ୍କୁ"।


ଜରାସନ୍ଧ କୋପାନଳୁ ମଥୁରାକୁ 

ରକ୍ଷା କରିବାକୁ ହରି,

ବିଭ୍ରାନ୍ତ କରିଲେ ଜରାସନ୍ଧେ ଭ୍ରାତା-  

ସଙ୍ଗେଦେଶ ତ୍ୟାଗ କରି।


ମଥୁରା ନଗ୍ରରେ ନପାଇ କ୍ରୋଧରେ

ଖୋଜି ବୁଲେ ଜରାସନ୍ଧ,

ପାହାଡ,ପର୍ବତ,ବଣ,ନଦୀ,ଗିରି 

ମହାକ୍ରୋଧେ ହୋଇ ଅନ୍ଧ।


କ୍ଷଣେ ଦେଖାଦେଇ,ପୁଣି ଲୁଚିଯାଇ 

ରାମକୃଷ୍ଣ ବେନିଭାଇ,

ଶତ୍ରୁ ବାହିନୀକୁ ନାଶ କରୁଥିଲେ 

ଅରଣ୍ୟ ମଧ୍ୟରେ ରହି।


ମହେନ୍ଦ୍ର ପର୍ବତେ ଭାର୍ଗବ ସହିତେ,*

ଭେଟ ହେଲେ ବାସୁଦେବ,

ବୋଇଲେ ସେ 'ଗୋମନ୍ତକ ପାଦଦେଶେ

ଜରା ଗର୍ବ ଖର୍ବ ହେବ।'


ଘୋର ଅରଣ୍ୟରେ ଶତ୍ରୁ ବାହିନୀକୁ 

କରିଦେଇ ପଥଭ୍ରାନ୍ତ ,

ଗୋମନ୍ତକ ପର୍ବତର ଚୂଡାଦେଶେ

ମିଳିଲେ କୃଷ୍ଣ, ଅନନ୍ତ।#


ଘଞ୍ଚ ଵନ ଗିରି ଜରାସନ୍ଧ ଘୂରି

ନପାଇଲା ଆଦି ଅନ୍ତ,

ବିଚାରଇ ସତେ ପବନର ସତ୍ତ୍ୱେ

ମିଶିଥିଲେ ବେନିଭ୍ରାତ !


'ଗରୁଡ' ନାମରେ ଜନଜାତି ଥିଲେ

ଗୋମନ୍ତକ ଅଧିବାସୀ,

ଅଳ୍ପଦିନେ କୃଷ୍ଣ ବନ୍ଧୁତା ବାନ୍ଧିଲେ

ସେମାନଙ୍କ ସଙ୍ଗେ ମିଶି।


ନିର୍ମାଣ କରିଲେ କୌମୁଦକି ଗଦା,

ସାରଙ୍ଗ ଧନୁ ସେ ସ୍ଥଳେ,

ମହାବଳୀ ହଳୀ ହଳ-ଦିବ୍ୟ ଅସ୍ତ୍ର

ପ୍ରାପ୍ତ ହେଲେ ଯୋଗ ବଳେ।


ଗୋମନ୍ତକ ଚତୁର୍ପାଶ୍ବେ ଜଳଖାଇ

ନିର୍ମାଣ କଲେ ଅଚିରେ,

ଶୁଷ୍କ-ଖାଇ ମୁଖ ସଂଯୋଜିତ କଲେ

ପଶ୍ଚିମ ସିନ୍ଧୁ ସଙ୍ଗରେ।


ଖାଇ ମୁଖେ ସେତୁ କରିଲେ ନିର୍ମାଣ

ଶୁଷ୍କ ରହିଥିଲା ଖାଇ,

ଲତା ଗୁଳ୍ମେ ଥିଲା ଆଚ୍ଛାଦିତ ତାହା,

ଦେଖି ନପାରନ୍ତି କେହି।


ବାସୁଦେବଙ୍କର ସମର କୌଶଳ

ନଜାଣଇ ଜରାସନ୍ଧ,

ଅକସ୍ମାତ ଦିନେ କଲା ଆକ୍ରମଣ

ପାଇଣ କାହୁଁ ସମ୍ବାଦ।


କାଶି,ଚେଦି ପୁଣି ବିଦର୍ଭ ବାହିନୀ

ସଙ୍ଗେ ମଗଧ ଇଶ୍ଵର

ରାତ୍ର ଅନ୍ଧକାରେ ଗୋମନ୍ତକ ଶିରେ

କରିଲା ବାଣ ପ୍ରହାର।


ପ୍ରତି ଆକ୍ରମଣ କଲେ ନାରାୟଣ

ଜନଜାତି ସଙ୍ଗେ ମିଶି,

ଗୋମନ୍ତକ ଶୀର୍ଷୁ ବାଣ ପ୍ରହାରିଣ

ଶତ୍ରୁ ବଳ ଦେଲେ ଧ୍ଵଂସି।


ଗଡଖାଇ ସେତୁ କାଟିଦେଲେ, ପୂର୍ଣ୍ଣ 

ହେଲା ଶୁଷ୍କ ଗଡଖାଇ,

ବୁଡି ମଲେ ତହିଁ ଅସଂଖ୍ୟ ସଇନ

ପ୍ରସ୍ଥାନ ପଥ ନପାଇ।


ହଳୀ ଆକ୍ରମଣେ ପରାସ୍ତ ହୋଇଲା

ଜରାସନ୍ଧ ନରାଧମ,

ଉଦ୍ୟତ ହୁଅନ୍ତେ ଚୂର୍ଣ୍ଣ କରିବାକୁ

ଶରୀର ତା' ବଳରାମ,


ଦୟାକରି ଜୀବଦାନ ଦେଇଥିଲେ 

ତାକୁ ଦେବକୀ ନନ୍ଦନ।

କହିଥିଲେ" ଛାଡିଦିଅ ଭାଇ ତାର  

ଆସିନାହିଁ ଶେଷଦିନ।


ଘଟିବାକୁ ଅଛି ଅନେକ ନାଟକ 

ଯବନିକା ଟାଣ ନାହିଁ।

ପାଇ ଅପମାନ ମଗଧ ରାଜନ

ଗଲା ମହା ଲଜ୍ଜା ପାଇ।


ସେହି ଦିନଠାରୁ ପ୍ରତିଶୋଧ ଅଗ୍ନି 

ଜଳେ ଜରାସନ୍ଧ ମନେ,

ଯଦୁ ବଂଶ ଧ୍ବଂସ କରିବା ପ୍ରତିଜ୍ଞା

ପାଳିଛି ନିଜ ଜୀବନେ।


*ଭାର୍ଗବ.... ପର୍ଶୁରାମ

#ଅନନ୍ତ... ବଳରାମ


କ୍ରମଶଃ--------


Rate this content
Log in

Similar oriya poem from Classics