STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା -୧୬

ବହ୍ନିକନ୍ୟା -୧୬

2 mins
11.6K


ବାସୁଦେବଙ୍କର ଅତି ପ୍ରିୟ କୁନ୍ତୀ ପିଉସୀଙ୍କ ସମେତ ପଣ୍ଡୁ-ପଞ୍ଚପୁତ୍ର ଲାକ୍ଷା ଗୃହରେ ଦଗ୍ଧିଭୂତ ହେବା ସମ୍ବାଦ ସମଗ୍ର ଆର୍ଯ୍ୟାବର୍ତ୍ତରେ ବ୍ୟାପିଯାଇଥିଲା ।


ଅବଶ୍ୟ ସେମାନେ ବଞ୍ଚିଥିବାର ଆଭାସ ଶ୍ରୀକୃଷ୍ଣ ଦ୍ବାରକାର ଗୁପ୍ତଚର ଠାରୁ ପାଇଥିଲେ। ତଥାପି ସଠିକ ସମ୍ବାଦ ପାଇବାପାଇଁ ସେ କୁରୁ ନବରରେ ପହଞ୍ଚିଲେ।


କୌରବ ଶହେ ଭାଇ ଏବଂ ମାତୁଳ ଶକୁନି କୁମ୍ଭୀର କାନ୍ଦଣା କାନ୍ଦିବାରେ ବ୍ୟସ୍ତ।ପାଣ୍ଡବ ମାନଙ୍କର ଜତୁଗୃହ ମଧ୍ୟରୁ ଗୁପ୍ତ ସୁଡ଼ଙ୍ଗରେ ପଳାୟନ ସମ୍ବାଦ, କୁରୁ ରାଜପରିବାରରେ ତିନି ଜଣଙ୍କୁ ଜଣାଥିଲା....ବିଦୂର,ଭୀଷ୍ମ ଏବଂ ରାଜମାତା ସତ୍ୟବତୀ। କୃଷ୍ଣ ଏ ସମ୍ବାଦ ବିଦୂରଙ୍କ ଠାରୁ ପାଇ ଆଶ୍ବସ୍ତ ହେଲେ। ସମ୍ବାଦକୁ ଗୋପନୀୟ ରଖିବାର ପ୍ରତିଶ୍ରୁତି ଦେଇ ସେ ହସ୍ତିନା ଛାଡିଲେ। 


ପାଣ୍ଡବ ମାନଙ୍କୁ ଠାବ କରିବାପାଇଁ ,ରାକ୍ଷାସାବର୍ତ୍ତ ଦିଗରେ ଉଦ୍ଧବଙ୍କୁ ପ୍ରେରଣ କଲେ ଶ୍ରୀକୃଷ୍ଣ।

*****


ହସ୍ତିନାର ରାଜ ନବରରେ ଯାଇ

ପହଞ୍ଚିଲେ ବନମାଳୀ

ପଥରୁ ପାଛୋଟି ନେଲେ ତାଙ୍କୁ ଆସି

ଗଙ୍ଗାସୁତ ମହାବଳୀ।


କୌରବ ନବର ଶୋକରେ ଅଧିର  

ପାଣ୍ଡବ ନିଧନ ପାଇଁ।

କୁରୁ ଶତପୁତ୍ର କୁମ୍ଭୀର କାନ୍ଦଣା

ଦେଖିଲେ ଜଗତ ସାଇଁ।


ଶୋକରେ ସନ୍ତପ୍ତ ଥିଲେ ଗଙ୍ଗାସୁତ,

ଆବର ଗାନ୍ଧାରୀ ରାଣୀ,

ସହଜେ ତ ରାଜମାତା ସତ୍ୟବତୀ

ନେତ୍ରୁ ଝରୁଥିଲା ପାଣି।


ପଚାରନ୍ତି ହରି ଗଙ୍ଗାସୁତ ପରି

ଥାଉଁ କୁଳଶ୍ରେଷ୍ଠ ତାତ,

କିଏ ପଠାଇଲା ପଣ୍ଡୁରାଜପୁତ୍ରେ 

ସୁଦୂର ବାରୁଣାବନ୍ତ ?


ଯୁବରାଜ ପଦେ ଅଭିଷିକ୍ତ ଥିଲେ

ଯେବେ ଭ୍ରାତା ଯୁଧିଷ୍ଠିର,

କି କାରଣେ ପଞ୍ଚ ଭ୍ରାତାଙ୍କୁ କିଏସେ

ପେଶିଲା ବାରୁଣା ପୁର ?


କାହା ଆଦେଶରେ ଜତୁଗୃହେ 

ପଣ୍ଡୁପୁତ୍ରେ କଲେ ଅବସ୍ଥାନ,

କିଏ ଗଢିଥିଲା ଲାକ୍ଷାଗୃହ,କିଏ 

କଲା ଅଗ୍ନି ସଂଯୋଜନ?"


ବାସୁଦେବ ବାଣୀ ଶୁଣି କର୍ଣ୍ଣେ ଭଣି 

ଧୀରେ ଜାହ୍ନବୀ ନନ୍ଦନ ,

"ହସ୍ତିନାର ରାଜନୀତି କଥା ତୁମ୍ଭେ 

ନଜାଣ କି ଜନାର୍ଦ୍ଦନ ?


ଗୋଟିଏ କୋଷରେ ଦୁଇଟି କୃପାଣ

ରହିପାରିବେ କି ହରି?

ଯୁଧିଷ୍ଠିର,ଦୁର୍ଯ୍ୟୋଧନ ହସ୍ତିନାରେ 

ରହିଥିଲେ ସେହିପରି।


କର୍ଣ୍ଣ,ଶକୁନୀଙ୍କ ବଳେ ବଳୀୟାନ 

ହୋଇ ଗାନ୍ଧାରୀ ନନ୍ଦନ,

କରି ଷଡଯନ୍ତ୍ର ପଣ୍ଡୁପୁତ୍ରେ ହତ

ଯୋଜନାରେ ଥିଲା ମଗ୍ନ।


ମାତୁଳ ଶକୁନି ଦୁଃଶାସନ ପୁଣି

ଗୁରୁ ପୁତ୍ର ଅଶ୍ଵତ୍ଥାମା,

ଅଙ୍ଗରାଜ କର୍ଣ୍ଣ ସଙ୍ଗେ ଦୁର୍ଯ୍ୟୋଧନ

ସତତ କଲା ମନ୍ତ୍ରଣା।


ପୁତ୍ରମୋହେ ଘାରି,ହୋଇ ଦ୍ରୋଣାଚାରୀ

ନେଉଥିଲେ କୁରୁ ପକ୍ଷ,

ରାଜ ସିଂହାସନେ ବନ୍ଧା ମୋ ଜୀବନ,

ବିବଶ ମୁଁ ପଦ୍ମମୁଖ।


ବିଷଲଡୁ ଦେଇ ଭୀମକୁ ମାରିବା 

ଷଡଯନ୍ତ୍ର କୁନ୍ତୀ ଜାଣି,

ପୁତ୍ରଙ୍କ ଜୀବନ ଚିନ୍ତାରେ ସର୍ବଦା ,

ବିମର୍ଷ ଦିବା ରଜନୀ।


କୁରୁ ପାଣ୍ଡୁପୁତ୍ର ମଧ୍ୟରେ ସଂଘର୍ଷ 

ଏଡାଇବାକୁ ତକ୍ଷଣ,

ବାରୁଣାବନ୍ତକୁ,ପଞ୍ଚ ପାଣ୍ଡବଙ୍କୁ 

ଧୃତରାଷ୍ଟ୍ର କଲେ ଦାନ।


ଯେଉଁ ଅଘଟଣ ଘଟିଲା ସେଠାବେ 

ଅଜଣା ତାର କାରଣ,

ଶୋକଜଳେ ଭାସେ କୁରୁ ପରିବାର 

ସଙ୍ଗେ କୁରୁ ନରରାଣ।"


ଭୀଷ୍ମଙ୍କୁ ଅନାଇଁ ବୋଲନ୍ତି କହ୍ନାଇ

ଶୁଣ ଗଙ୍ଗାସୁତ ଧୀର,

ଏତ ଅଗ୍ରଭାଗ ମାତ୍ର ଜଳଧିରେ- 

ମଗ୍ନ ଅଧର୍ମ ଗିରିର।


କୁନ୍ତୀ ପିଉସୀଙ୍କ ସଙ୍ଗେ ଭ୍ରାତାଙ୍କର

ଶୁଣି ନିଧନ ସମ୍ବାଦ,

ଚିରି ହୁଏ ହୃଦ ଜାଗେ ମହାକ୍ରୋଧ

ଲାଗେ ଚକ୍ରାନ୍ତର ଗନ୍ଧ।


ଷଡଯନ୍ତ୍ରର ଯେ ଆଭାଷ ମିଳୁଛି 

କୁରୁ ରାଜ ପରିବାରେ,

ଆର୍ଯ୍ୟାବର୍ତ୍ତେ ଧର୍ମ ସଂସ୍ଥାପନାରେ ଏ 

ପରିପନ୍ଥୀ ହୋଇପାରେ।


ସମୟରୁ ନ ହୋଇଲେ ସାବଧାନ 

ଆହେ ଗଙ୍ଗାପୁତ୍ର ଭୀଷ୍ମ,

ଅଧର୍ମ ମାର୍ଗରେ ଯାଇ କଉରବ 

ଗଉରବ ହେବ ଭଷ୍ମ।


ତୁମ୍ଭେ କୁଳଶ୍ରେଷ୍ଠ ତେଣୁ ସବୁ ଦୋଷ

ଯିବ ତୁମ୍ଭ ମସ୍ତକରେ,

ପିତାମହ ତୁମ୍ଭେ ଦାୟୀ ହେବ କୁରୁ 

ଗଲେ ଅଧର୍ମ ପଥରେ।"


ବାସୁଦେବଙ୍କର ପ୍ରଶ୍ନର ଉତ୍ତର

କି ଦେବେ ଗଙ୍ଗା ନନ୍ଦନ ?,

ବୋଇଲେ "ମାଧବ ! ବିଦୂରେ ଭେଟିବ 

କରିବା ଆଗୁଁ ପ୍ରସ୍ଥାନ।"


କୁରୁ ନବରରୁ ବିଦାୟ ପୂର୍ବରୁ 

କୃଷ୍ଣ ଭେଟିଲେ ବିଦୂରେ,

ଉଚିତ ସମୟେ ଗଙ୍ଗାସୁତ ଭୀଷ୍ମ 

ପହଞ୍ଚିଲେ ସେ ସ୍ଥାନରେ।


କୃଷ୍ଣଙ୍କ କର୍ଣ୍ଣରେ ଯାହା ଅତିଧୀରେ 

କହିଲେ ବିଜ୍ଞ ବିଦୂର,

ସ୍ମିତ ହସ ଯଦୁପତିଙ୍କ ମୁଖରେ 

ଆଣିଦେଲା ତା ସତ୍ବର।


ବୋଇଲେ ବିଦୂର"ଏ କଥା ହେ ଧୀର !

ଅଟେ ଅତି ଗୋପନୀୟ,

ପଞ୍ଚ ପାଣ୍ଡବଙ୍କ ସୁରକ୍ଷା ନିମିତ୍ତ 

ଏହା ଆମ୍ଭର ନୀର୍ଣ୍ଣୟ।


ହେ ଯାଦବ ବୀର ଏ ଗୁପ୍ତ ଖବର 

ତିନିଜଣ ହିଁ ଜାଣନ୍ତି,

ମୋହର ବ୍ୟତୀତେ ଜ୍ଞାତ ଗଙ୍ଗାସୁତେ

ଜାଣିଛନ୍ତି ସତ୍ୟବତୀ।


ଗୋପନୀୟ ସମ୍ବାଦକୁ ଅତି ଗୋପ୍ୟ 

ରଖିବାର ପ୍ରତିଶୃତି,

ଦେଇ ବାହାରିଲେ ପାଞ୍ଚାଳ ଯାତ୍ରାରେ 

ବିଦାନେଇ ଯଦୁପତି।


ବୋଇଲେ ଗାଙ୍ଗେୟ "ଶୁଣହେ ବାର୍ଷ୍ଣେୟ,

ହେଲେ କୃଷ୍ଣା ସ୍ଵୟମ୍ବର,

ଯାଜ୍ଞସେନୀ ହସ୍ତ ଧରି କୌରବଙ୍କ 

ସଙ୍ଗେ ନକରିବ ବୈର।"


ସ୍ମିତ ହସ ହସି ତହୁ ଯଦୁବଂଶୀ 

ଫେରିଲେ ବିଦାୟ ନେଇ,

ପଥେ ଉଦ୍ଧବଙ୍କୁ ଡକାଇ ପାଶକୁ 

ବୋଇଲେ ଦ୍ବାରକା ସାଇଁ।


"ରାକ୍ଷସାବର୍ତ୍ତକୁ ତୁରନ୍ତ ଉଦ୍ଧବ 

ଗୋପନେ କର ଗମନ,

ଯତୁଗୃହମଧ୍ୟୁ ଯାଇ ପଣ୍ଡୁପୁତ୍ରେ 

କରୁଛନ୍ତି ଅବସ୍ଥାନ।


ଗଙ୍ଗା କୂଳେ କୂଳେ ଯାଇଛନ୍ତି ସେହୁ,

ଯିବ ତୁମ୍ଭେ ସେହି ପଥେ,

ନାଗଲୋକ ଠାରୁ ନେବ ସହାୟତା 

ପଡିବ ଯେବେ ବିପଦେ।


ନାଗଲୋକ ରାଜା 'ଆର୍ଯ୍ୟକ' ଅଟନ୍ତି 

ତୁମ୍ଭର ପ୍ରପିତାମହ,

ଅନାୟାସେ ସହାୟତା ତାଙ୍କଠାରୁ 

ପାଇବ ତୁମ୍ଭେ ନିଶ୍ଚୟ।


ପାଣ୍ଡବ ସମ୍ବାଦ ଆଣିବ ଉଦ୍ଧବ 

ଦେବ ତାଙ୍କୁ ଆଶ୍ବାସନା,

କହିବ ଧର୍ମଙ୍କୁ.. ପାଞ୍ଚଭ୍ରାତ ପଛେ 

ଅଛନ୍ତି ଯାଦବ ସେନା"।


କ୍ରମଶଃ............


Rate this content
Log in

Similar oriya poem from Classics