ଭଲପାଏ ବୋଲି
ଭଲପାଏ ବୋଲି
ମୋର ଅଜାଣତେ କେବେ ତୁମେ ଆସି
ମୋ ହୃଦୟେ ବସିଗଲ,
ଚହଲା ମନରେ ଖେଳିଲ ତ ହସି
ମୋ ଓଠେ ହସ ଭରିଲ |
ଜାଣେନା କେମିତି ଭଲ ପାଇଲି ମୁଁ
ମନ ମୋର କିଣିନେଲ,
ତୁମ ହସରେ ମୁଁ ପଢିପାରୁଥିଲି
ପ୍ରେମ ଭିଜା ମନତଳ |
ମନଖୋଜୁଥିଲା ନିରୋଳାରେ ବସି
ଗପିବାକୁ ତୁମ ସାଥେ,
କହିବାକୁ ସବୁ ଗୋପନେ ତୁମକୁ
ସଞ୍ଚିତ ଯାହା ବି ହୃଦେ |
ନିତି ସପନରେ ତୁମକୁ ଦେଖେ ମୁଁ
ତୁମେ ଆସ ଅଭିସାରେ,
ପ୍ରୀତିର ମହକେ ମନ ମୋ ନାଚଇ
ତୁମକୁ ପାଇ ଅଧୀରେ |
କେତେ ଆଶା ଭରେ ତୁମକୁ ନେଇ ମୁଁ
ଜୀବନର ସାଥୀରୂପେ,
କେତେ କଳପନା ଉଙ୍କିମାରେ ଆସି
ଆଙ୍କି ହୁଏ ଆପେ ଆପେ |
ପ୍ରୀତି ସାତ ରଙ୍ଗ ହୃଦୟେ ଭରିଛି
ମାଖିବାକୁ ତୁମ ଦେହେ,
କବିତାରେ ମୋର ଅସରନ୍ତି ସ୍ବପ୍ନ
ନଦୀ ଧାରା ପରି ବହେ |
ତୁମେ ପଢିଛ ତ କବିତାରେ ମୋର
କେତେ ପ୍ରୀତି ଅଛି ପୁରି,
ଜାଣିଛି ତୁମରି ଆଖିରେ କେତେ ଯେ
ସପନ ରଖିଛ ଭରି |
ତୁମ ଲାଜରେ ଯେ ଭଲପାଇବାର
ଅଙ୍ଗୀକାର ଶୁଣିଅଛି,
ତୁମ ଅଭିମାନେ ପ୍ରୀତିର ବାସନା
ଅନୁଭବ କରିଅଛି |
ତୁମେ ମୋ ହୃଦୟେ ପ୍ରୀତି ଛବିଟିଏ
ତୁମେ ଜୀବନର ହସ,
ତୁମ ବିନା ମୋର ରହିବନି କିଛି
ବଞ୍ଚି ରହିବାର ଅର୍ଥ |

