ଭଲ କି କରିନି ମୁହିଁ
ଭଲ କି କରିନି ମୁହିଁ
କାଳିଆ ବୋଲଇ ମା' ତା ଶୁଣଇ
କହିବି କଥାଟି ଆଜି
ଆଲୋକ ପରବେ ଆନନ୍ଦେ ସରବେ
ଖୁସିରେ ଅଛନ୍ତି ମଜ୍ଜି।
ମୋ ସୁନା ବୋଉଲୋ ପଇସା ଦିଏଲୋ
ବଜାରୁ ଆଣିବି ବାଣ,
ସୁରୁସୁରି ଘଡି ତାଳ ଫୋଟକାକୁ
ଆଉ ପୁଣି କେତେ କ'ଣ।
ମା'ଦେଇ ପଇସା କହିଲେ ସହସା
ସଅଳ ଆସିବୁ ଧନ,
ବିଳମ୍ବ ନ କରି କାମ ଦେବୁ ସାରି
ମୋ କଥାରେ ଦିଏ କାନ।
ହାତେ ଧରି ମୁଣି ବାହାରିଲା କିଣି
ଖୁସି ମନେ ଗାଇ ଗୀତ,
ବାଟରେ ଦେଖିଲା ଛୋଟ ଏକ ପିଲା
ଶୀତେ ଥରୁଛି ତା'ହାତ।
କରୁଣ ଆଖିରେ ପିଲାଟିଏ ଧିରେ
କହିଲା ଖାଇନି କିଛି,
ଦୁଃଖିଟିଏ ମୁହିଁ ମୋର କେହି ନାହିଁ
ଦିଅ ବାବୁ ଯାହା ଅଛି।
ଦେଖି ତା' ବିକଳ କାଳିଆ ଆକୁଳ
ବାଣ କଥା ପାଶୋରିଲା,
ତରକାରୀ ଅନ୍ନ,ଶୀତ ପରିଧାନ
ପିଲାଟିକୁ ନେଇ ଦେଲା।
ଘରକୁ ଫେରିଲା ବାଣ ବି ନ ଥିଲା
ପଚାରିଲେ ମାଆ ହସି,
ଖାଲି ହାତେ କାଇଁ ଆସିଲୁରେ ଧାଇଁ
ଆରେ ମୋ ସରଗ ଶେଶୀ।
ଯାହା ଘଟିଥିଲା ସବୁ ବଖାଣିଲା
ଗୋଟି ଗୋଟି କରି ସିଏ,
ତୁମେ କହୁଥିଲ ବୋଲାଇବ ଭଲ
ପର ହିତ କରେ ଯିଏ।
ମୁଁ ଖୁସି ଏଥିରେ ବାଣ ଓ ଦୀପରେ
ପ୍ରୟୋଜନ କିଛି ନାହିଁ।
କହ ମା' ଥରେ ମତେ ତୁ ସତରେ
ଭଲ କି କରିନି ମୁହିଁ?
ଦେଖି ପୁଅ ଗୁଣ କହିଲେ ଟି ଶୁଣ
ଆନନ୍ଦେ ବିଭୋର ହୋଇ,
ସର୍ବେ ତୋ ପରି ହେଲେ ଉପକାରୀ
ଦୁଃଖ ଯା'ନ୍ତା ନିଦେ ଶୋଇ।
ଆତସବାଜିରେ ହଜି ମଜିବାରେ
ମିଳଇ କ୍ଷଣିକ ସୁଖ,
ଅନ୍ୟର ମୁହଁରେ ହସ ଭରିବାରେ
କେତେ ଶାନ୍ତି ଅଛି ଦେଖ।
ପ୍ରୀତିପ୍ରିୟା ମହାନ୍ତି
ଶିକ୍ଷୟିତ୍ରୀ
ମୟୂରଝାଲିଆ,ରଣପୁର
ନୟାଗଡ଼
