ଭଲ ଦିଶୁଛ ସତରେ !
ଭଲ ଦିଶୁଛ ସତରେ !
ମାଆ କୁଆଡେ ପ୍ରଥମ ଡାହାଣୀ
ଯିଏ ମୁହଁ ଖୋଲି କହେନା
ପୁଅ ସୁନ୍ଦର ବୋଲି
ଯିଏ କଥା କଥାକରେ
ଛେପ ପକାଇ ଦିଏ
ନଜର ଲାଗିବ ବୋଲି
ତୁମେ ତ ମାଆ ନୁହଁ
କିନ୍ତୁ ତୁମ ମନକୁ ବି ପାପ ଛୁଏଁ
କୁସଂସ୍କାର ଗ୍ରାସ କରେ
କିନ୍ତୁ ତମେ ମା ପରି
ହ୍ରଦଟିଏ ହୋଇ କେତେଦିନ ବି
ଲୁଚାଇ ପାରିବ ଭାବନାକୁ
ତୁମର ନଈ ଟିଏ ପରି ଅନ୍ୟ ଯେଉଁ ରୂପ
ଯେଉଁ ନଦୀ ନିଜକୁ
ରୋକି ନ ପାରି କହିଦିଏ,
"ଆଜି ଭଲ ଦିଶୁଛ---ସତରେ !"
ବିଶ୍ୱାସ କରେ ତୁମକୁ
ତୁମର ଓଠରୁ ବାହାରୁଥିବା କଥା
ଦୈହିକ ଆକର୍ଷଣର
ପରିପ୍ରକାଶ ମାତ୍ର ନୁହେଁ
ସେମିତି ହୋଇଥିଲେ ତମେ ତ
କାନ୍ଧରେ ଝୁଲି ପଡି
ଗାଲର ସେହି ଅଂଶକୁ
ଆଙ୍ଗୁଳିରେ ଛୁଇଁ
ଇଙ୍ଗିତ ମାଧ୍ୟମରେ ଚୁମ୍ବନଟିଏର
ଭିକ୍ଷା କରି ବସି ଥାନ୍ତ
ଯେମିତି ପାର୍ଟିଖୋର ସାଙ୍ଗମାନ
ସଫଳତାର ପ୍ରତି କ୍ଷୁଦ୍ର ସମାଚାର ପାଇଁ
ବାରମ୍ବାର ପାର୍ଟି ମାଗି ବସିଥାନ୍ତି ।
ସୁନ୍ଦର ବେଶଭୂଷା
ଆଉ ମୁହଁରେ ହସ ଫୁଟାଇ
ଆକର୍ଷିତ କରିବାକୁ
କେବେ ଚେଷ୍ଟା କରିଥିଲି ....
ତୁମ ଆଖିରେ ଧରା ପଡିଲା ପରି
ନିଜକୁ ସଜାଇବାର
ଏହି ପ୍ରୟାସ ସବୁ ବିଷୟରେ ଭାବିଲେ
ଏବେ ହସ ଲାଗେ
ଆଉ ଲାଜ ବି ।
ତୁମେ କହି ଦେଉଥିଲ
"ଭଲ ଦେଖା ଯାଉଛ ..."
ଏତକ ଶୁଣିଲେ
ପଥର ମୂର୍ତ୍ତି ପରି ନିଶ୍ଚଳ ହୋଇଯାଏ
ତୁମ ଆଡେ ଦେଖେ
ଆଖିରେ ସନ୍ଦେହର ତାରା
ଫୁଟାଇବା ଆଗରୁ
ତମେ କହି ଦିଅ
"ଆରେ, ସତରେ ସୁନ୍ଦର ଦିଶୁଛ
... ବିଶ୍ୱାସ କର !!!"
ଜାଣିଛି, ତୁମେ କେବେ ବି
ଚାହୁଁ ନ ଥିଲ
ମତେ ହତୋତ୍ସାହ ବା ନିରାଶ କରିବାକୁ ।
ମୋର ଅନାବନା, ଝାପ୍ସା,
ତ୍ରୁଟିପୂର୍ଣ୍ଣ ଫୋଟୋ ସବୁ
ଚିରି ଫୋପାଡ଼ିବାକୁ ବସିଲେ
ଛଡେଇ ନେଇ କୁହ
ନିଜେ ତାକୁ ସାଇତି ରଖିବ ବୋଲି ।
ପ୍ରେମ କଅଣ ସୀମା ପାରି ହେଲେ
ଦେହାତୀତ ହୋଇଯାଏ?
କାହାର ଅନାବନାକୁ
ସାଇତି ରଖିବାଟା ହିଁ
କଅଣ ପ୍ରେମ ?
ଏବେ ମୁଣ୍ଡର ପାଚିଲା ବାଳ
ବାଧା ପକାଇ ପାରେନା
ତୁମ ଭଲ ପାଇବାରେ ।
"ଆଜିକାଲି ସମସ୍ତଙ୍କର ପାଚୁଛି" କହି
ମୋ ଅମୂଳକ ଚିନ୍ତାର
ଗାମ୍ଭୀର୍ଯ୍ୟ ସାରିଦିଅ ।
ଅମିତାଭ ଠାରୁ ଆରମ୍ଭ କରି
ସଞ୍ଜୟ ଦତ୍ତ, ସଲମାନଙ୍କ
ଉଦାହରଣ ଦେଇଦିଅ
ମୋ ମନରୁ ବୟସର ଭୂତ
ଦୂର କରିବାକୁ ।
ମୋଠୁଁ କିଏ ଅଧିକ
ତୁମକୁ ବୁଝିଛି
ମାଆ ନ ହେଲେ ବି
ତୁମ ଭିତରେ ପ୍ରେମ ଦେଇ
ଅପବାଦ ପାଇବାର
ଭିନ୍ନ ଏକ ମାତୃତ୍ୱ ଦେଖେ
ଡର ଏଠି ବି ତୁମକୁ
ମୋଠାରେ ଥିବା ଅନ୍ୟ ପ୍ରେମିକା ଡାହାଣୀଙ୍କ
ନଜରକୁ ନେଇ

