ଭକ୍ତି
ଭକ୍ତି
ଆମରି ହୃଦୟ ରତ୍ନ ସିଂହାସନ ଦେଖିନେବା ଥରେ ଆସ,
ମାଟିର ଶରୀର ଶ୍ରୀକ୍ଷେତ୍ର ମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାସ | 1
ଆତ୍ମା ରୂପେ ବିଜେ ନିଜେ ଜଗନ୍ନାଥ ବସିଛନ୍ତି ଆଖିଖୋଲି,
ନିଜର ସୃଷ୍ଟିକୁ ଦେଖି ସେ ଚକିତ ଆହା କି ସୁନ୍ଦର ବୋଲି ! 2
ଅମୃତ ବରଷି ସୁଖକୁ ପରଷି ଦୁଃଖକୁ କରନ୍ତି ନାଶ,
ଚତୁର୍ଦ୍ଧା ମୂର୍ତ୍ତିକୁ ଚିହ୍ନି ନପାରିଲେ ସଂସାର ଲାଗିବ ବିଷ | 3
ହସ୍ତ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ବଳଭଦ୍ରଙ୍କର ବଳ,
ସେହିବଳ ଆଉ କଳା-କଉଶଳେ ପାଉ ଆମେ ଅନ୍ନ-ଜଳ | 4
ଧନ-ଜନ ମାନ ସୌଭାଗ୍ୟ ସମ୍ମାନ ଥାଇ ହେଉ ବଳବାନ,
ମୁଖେ ଥିଲେ ହସ ମିଠାମିଠା ଭାଷା ହେବା ଆମେ ସୁଦର୍ଶନ | 5
ଆମ ଶରୀରଟି ଈଶ୍ୱର ମନ୍ଦିର ଆତ୍ମା ହିଁ ପ୍ରଭୁଙ୍କ ଅଂଶ,
ପ୍ରାଣବାୟୁ ସିନା ଆତ୍ମାର ସେବକ ମନକରେ ତାକୁ ବଶ | 6
ଈଶ୍ୱରଙ୍କ ପାଇଁ ବିଶ୍ୱାସ ହିଁ ଲୋଡ଼ା ଆଉ ଲୋଡ଼ାହୁଏ ଭକ୍ତି,
ଆତ୍ମାପାଇଁ ଲୋଡ଼ା ନ୍ୟାୟ ସୁଵିଚାର ସତ୍ୟ-ଶାନ୍ତି ପ୍ରେମଶକ୍ତି | 7
ଦେହପାଇଁ ଲୋଡ଼ା ସୁଷମ ସୁଖାଦ୍ୟ ସ୍ୱଚ୍ଛ-ସୁସ୍ଥ ପରିବେଶ,
ମନପାଇଁ ଲୋଡ଼ା ବିଳାସ ବ୍ୟାସନ ଜିହ୍ଵାପାଇଁ ଷଡ଼ରସ | 8
ଜୀବନଟି ସତେ ଈଶ୍ୱରଙ୍କ ଦାନ ମୂଲ୍ୟବାନ ଉପହାର,
ଆଦର ଯତନେ ଖୋଲି ଦେଖି ତାକୁ କରୁଥିବା ବ୍ୟବହାର | 9
ଭାବକୁ ବୁଝନ୍ତି ଭାବଗ୍ରାହୀ ହରି ଭାବରେ ହୁଅନ୍ତି ଛନ୍ଦା,
ଛଅଟି ଭାବରେ ଭଗବାନ ସାଥେ ଭକ୍ତ ହୋଇଥାଏ ବନ୍ଧା | 10
ଭକ୍ତିଦିଏ ଶକ୍ତି ଭାବରୁ ଆସକ୍ତି ଖୋଲେ ମୁକ୍ତିର ଦୁଆର,
ନିଜକର୍ମ ଧର୍ମ ଜ୍ଞାନ ବଳେ ବ୍ୟକ୍ତି ଭାବରେ ହୁଏ ବିଭୋର | 11
ପାଇଥିଲେ ମୁକ୍ତି ମନେରଖି ଭକ୍ତି ଦାସ୍ୟଭାବେ ହନୁମାନ,
ସାଖ୍ୟଭାବ ଥିଲା ଅର୍ଜୁନଙ୍କୁ ରଥେ ସାହା ହେଲେ ଭଗବାନ | 12
ବାତ୍ସଲ୍ୟ ଭାବରେ କଳା କହ୍ନେଇକୁ ପାଇଲେ ଯଶୋଦା ମାତା,
ବୈରଭାବ ପାଇଁ କଂସ ଓ ରାବଣ ହୋଇଲେ ଜଗତଜିତା | 13
କାନ୍ତାଭାବ ନେଇ ଗୋପ ଗୋପାଳୁଣୀ ରାହାସରେ ଭାଗନେଲେ,
ମଧୁର ଭାବରେ ରାଧାରାଣୀ ମୀରା କୃଷ୍ଣଙ୍କୁ ନିଜର କଲେ | 14