ନବ ପ୍ରଣୟୀ
ନବ ପ୍ରଣୟୀ


ମାଟିର ସମ୍ମୋହନଭରା ମହକ
ପହିଲି ଆଷାଢ଼ର ଦାନ ନୁହେଁ ତ ଆଉ କ'ଣ ?
ଟିପ ଟିପ ଶବ୍ଦରେ ମଧୁର ମୂର୍ଚ୍ଛନା
ଭୁରୁ ଭୁରୁ ଗନ୍ଧରେ ମନ ଆନମନା ।
ଏ ଭୂମି ସତେ ନବ ପ୍ରଣୟୀ ନୁହେଁ କି
ଭୂମାରୁ ଝରିଯାଏ ଯେବେ ପ୍ରଥମ ଲୋତକ
ସ୍ପର୍ଶକରେ ସଲ୍ଲଜ ସଧିରେ
ମଜ୍ଜି ମଜ୍ଜି ଆତ୍ମବିଭୋରରେ
ଲୋଟିଯାଏ ମାଟିର ଆଶ୍ୱସ୍ତ ବକ୍ଷରେ ।
ଛୁଇଁ ଛୁଇଁ ଯାଉଥାଏ ମାଟିର
ମାଦକିତ ସର୍ବାଙ୍ଗକୁ
ସିକ୍ତ କରି ଭାବଭଙ୍ଗୀ ଭରା ତା ଅବୟବ କୁ
ପ୍ରୀତିର ଉପହାର ସତେକି ଅଜାଡି ଦିଏ
ନବ ପ୍ରେୟସୀ କୋଳରେ ।
ଭୂମି ତ ପ୍ରଣୟରେ ବିଭୋର
ଭୂମାରୁ ଝରୁଥିବା ପ୍ରତି ବର୍ଷା ଠୋପା
ସତେ ଛୁଇଁବାକୁ ଅଧୀର
ତା ଶୁଷ୍କ ଅଧରକୁ
ନୂତନ ପ୍ରଣୟୀର ମରୁଭୂମି ମନକୁ
ପ୍ରୀତିଢାଳି ଉପଶମ କରେ
ମନ ବନ ଘନର ଚରମ ରସିକତାକୁ ।
ଏହା ତେବେ ନୂତନ ପ୍ରଣୟର
ଶୁଭାରମ୍ଭ ଧ୍ୱନି
ପ୍ରଥମ ଆଷାଢ଼ର ଆହା
ପ୍ରତିଶୃତି ବାଣୀ
ଯାହା କେବେଭୂଲି ହେବନି ।