ଗୁଜବ
ଗୁଜବ


ତୁଣ୍ଡ ବାଇଦର ଶବଦ ଶୁଭେ ଶତ ସହସ୍ର କୋଶ
ଗୁଜବର ନଥାଇ ପାଦ ଭ୍ରମେ ସେଇ ସାରା ଜଗତ ।
ସତ୍ କଥା ପ୍ରଚାର କରିବା ଅତ୍ୟନ୍ତ କଠିନ ଦୁଷ୍କର
ତଡିତ ବେଗେ ବ୍ଯାପଇ ପରନିନ୍ଦା ଅପବାଦ ଖବର ।
କପୋଳକଳ୍ପିତ ଅତିରଞ୍ଜିତ କାହାଣୀ ରୋଚକ ମଧୁର
ଚାଞ୍ଚଲ୍ୟକର ଧୂଆଁଧାର ଏମିତି କେତେ ସ୍ବରୂପ ତାହାର ।
ଶ୍ରବଣ ମାତ୍ରକେ ତାହାକୁ ମନ ହୁଅଇ ଆନନ୍ଦେ ବିଭୋର
ସବିଶେଷ ବିବରଣୀ ପ୍ରାପ୍ତି ନିମନ୍ତେ ଜନେ ହୁଅନ୍ତି ଅଧିର ।
ସମସ୍ତ ମଣିଷ ଉଣା ଅଧିକେ ଉଡ଼ା ଖବରରେ ବିଶ୍ବାସୀ
କେହି ବି କେବେ ଜାଣିବାକୁ ଚାହେଁ ନାହିଁ ସତ୍ଯାସତ୍ଯ ।
ଆନର ଚରିତ୍ର ସଂହାର କୁତ୍ସାରଟନା ଲାଗେ ସୁଖପ୍ରଦ
ଜାନ୍ତବ ଆନନ୍ଦ ଉପଭୋଗ କରିବା ପାଇଁକି ଉତ୍କଣ୍ଠିତ ।
ବେଳେ ବେଳେ କାହିଁ ଏଇ ଗୁଜବ ଲାଗଇ ନିରାଟ ସତ୍ୟ
ବିନା ଚାକ୍ଷୁଷ ପ୍ରମାଣେ ମଣିଷ ଆମନ୍ତ୍ରଣ କରେ ପ୍ରମାଦ ।