ଭକତବତ୍ସଳ କଳାସାଆନ୍ତ
ଭକତବତ୍ସଳ କଳାସାଆନ୍ତ
ତୁମର କାଳିଆ ବଦନରେ ପ୍ରଭୁ
କି ଯାଦୁ ରଖିଛ ଭରି
ଭୁଲି ଯାଇଥିଲି ତୁମେ ହିଁ ତୁମକୁ
ନିଜେ ଗଢିଥିଲ ବୋଲି I
ଓଡିଆ ଜାତିର ହୃଦୟ ସ୍ପନ୍ଦନ
ସାରା ଜଗତର ନାଥ
କୋଟି କୋଟି ପ୍ରାଣ ଜୀବନ ନାଟିକା
ତୁମେ ପ୍ରଭୁ ଜଗନ୍ନାଥ I
ଭକତ ଭାବରେ ବନ୍ଧା ତୁମେ ପ୍ରଭୁ
ଅଭାବକୁ ଥାଅ ଦୂରେ
କାଳିଆ ଠାକୁର ଲୀଳା କରୁ୍ଅଛ
ବସି ବଡ ଦେଉଳରେ I
ବିଶ୍ୱାସରେ ତୁମେ ବିଶ୍ୱ ବିହାରୀ
କରୁଣାର ମହାଦୃମ
ତୁମ ନାମ ତୁଣ୍ଡେ ଥିଲେ ମହାପ୍ରଭୁ
ଛୁଇଁ ପାରେନାହିଁ ଯମ I
ତୁମ ପୂଣ୍ୟଧାମେ ଭକ୍ତ ଆସେ ଧାଇଁ
ପୂଜିବାକୁ ଶ୍ରୀପୟର
ଭକତ ପାଇଁକି ଭକ୍ତ ବତ୍ସଳ
ରଥେ ତୁମେ ବିଜେ କର I
ତୁମ ପାଦପଦ୍ମେ ପ୍ରଣତି ଜଣାଏ
ଘେନାକର ମହାବାହୁ
ତୁମ ନାମ ଗାଇ ଶ୍ରୀକ୍ଷେତ୍ରରେ ମୋର
ଜୀବନର ଅନ୍ତ ହେଉ I
