ଭିନ୍ନ ଏକ ପାଗଳ
ଭିନ୍ନ ଏକ ପାଗଳ
ମୁଣ୍ଡ ଚୁଟି ଜଟ ଗନ୍ଧୁଛି ଉତ୍କଟ
ଅଙ୍କା ବଙ୍କା କରେ ନାଟ
ଅଟ୍ଟହାସ୍ୟ କରେ ଶୁନ୍ୟକୁ ତରାଟି
କେବେ ମଉନର ଘଟ ।୧।
ବେଯୋଡ ଚପଲ ପାଦେ ଦୁଇ ପଟ
ବସ୍ତ୍ରରେ ଅନେକ ଫାଟ
ନାହିଁ ନିଜ ପର ଭୁଲିଯାଏ ବାଟ
ଦୟାରେ ପୁରାଏ ପେଟ । ୨।
ଏମିତି ପାଗଳ ବଜାର ଘାଟରେ
ଅଳପ ହୁଅଇ ଭେଟ
ନିତି ମୁଁ ଦେଖୁଛି ପ୍ରତି ମୂହୁର୍ତ୍ତରେ
ପାଗଳ ମାନଙ୍କ ନାଟ ।୩।
ବେତାର ଖୋଳପା ଲଗାଇ କାନରେ
ମନ କରେ ଛଟପଟ
କାନ୍ଧେ ପରେ ଥୋଇ ମୁଣ୍ଡଟାକୁ ନଇଁ
ଭୁଲି ଯାଏ ନିଜ ବାଟ ।୪।
ନୀରବରେ ବସି ଠୋ ଠୋ ହସି
ଖୁସିରେ କେ ନଟପଟ
ସମୟ ଅଳପ ଫୁସ୍ ଫାସ୍ କଥା
ସାରି ଦିଏ ଚଟାପଟ୍ ।୫।
ଚଉଦ ପୁରୁଷ ଉଦ୍ଧାର କରୁଛି
କ୍ରୋଧରେ କେ ଛଟ ପଟ
ଶାବଳଟା କେବେ ଛୁଞ୍ଚି କରି ସିଏ
ବସାଏ ମିଛର ହାଟ ।୬।
ସୁଖ ଦୁଃଖ ଭରା ସଂସାର ଭିତରେ
କେବେ ହୋଇଯାଏ ଫାଟ
ଇଟା ଫାଳ ପରି ମୋବାଇଲ ଧରି
ଭୁଲିଲାଣି କିଏ ପାଠ ।୭।
ସକାଳରୁ ସଞ୍ଜ ଫଟୋ ନଦେଖିଲେ
ପୁରେ ନାହିଁ କାର ପେଟ
ନିଜ ମୁଁହ ଛବି ନିଜେ ଉଠାଇଛି ।
ମୁଖପୁସ୍ତକରେ ଭୋଟ ।୮।
ପ୍ରତି ମୁହୂର୍ତ୍ତରେ ଅଣ୍ଡାଳି ଚାଲିଛି
ଖୋଜେ ଲାଇକ୍ କମେଣ୍ଟ
ବେଳ ଥାଉ ଥାଉ ସୁଧୁରିଲେ ଧନ
ହେବା ନାହିଁ ଛଟ ପଟ ।୯।