STORYMIRROR

SARATA KUMAR DAS

Inspirational Others

3  

SARATA KUMAR DAS

Inspirational Others

ଭିନ୍ନ ଏକ ମଣିଷ ମୁଁ

ଭିନ୍ନ ଏକ ମଣିଷ ମୁଁ

1 min
19.5K


ପକ୍ଷହୀନ ପକ୍ଷୀଟିଏ ମୁଁ

ନୀରବ ନିସ୍ତେଜ ମୋ

ମନ ପ୍ରାଣ ଓ ଶରୀର

ସୀମାହୀନ ପ୍ରଶସ୍ତ

ଆକାଶ ଛାତିରେ

ପକ୍ଷ ଝାଡି ଉଡି ଉଡି

ଥକି ପଡିଥିବା କ୍ଳାନ୍ତ ଏକ

ଜରାକୀର୍ଣ୍ଣ ମୃତ ଅବୟବ ।।


ମୋ ଆଖିରେ ଅନ୍ଧ ପଟ୍ଟଳିକା

ବହଳ ବହଳ ଅନ୍ଧକାର ଚତୁର୍ଦିଗ

ତଥାପି ଲହଡି ଭାଙ୍ଗୁଛି

ଅୟୁତ ସ୍ଵପ୍ନର ଅଭିସାର

ସାତ ରଂଗର ମେଳଣ

ମାତ୍ର ,ସ୍ପଷ୍ଟ ଦୃଶ୍ୟମାନ

ଅଦୃଶ୍ୟ ଜ୍ଵଳନ୍ତ ବିଭୀଷିକା

ସଦା ଉର୍ଦ୍ଧ୍ବମୁଖୀ, ସଦା ଧାବମାନ ।।


ମୋ ହାତରେ ବେଡି

ପାଦରେ ଶୃଙ୍ଖଳ

ମୁଁ କାରାରୁଦ୍ଧ , ଭୀତତ୍ରସ୍ତ

କାରାରୁଦ୍ଧ ମୋର ସ୍ତରୀଭୂତ

ବିଶ୍ଵାସର ପ୍ରଚଣ୍ଡ ପାହାଡ

ମୋ ଚେତନାର ନଭଶ୍ଚୁମ୍ବି ଦିଗ

ଦିଗହରା ଅସ୍ପଷ୍ଟ ଗତିପଥ ମୋ

ଧୂମାୟିତ ଦୋଦୁଲ୍ୟମାନ

ଏକ ନିଶ୍ଚିତ

ସୂର୍ଯ୍ୟାସ୍ତ ଅଭିମୁଖେ

ଅପେକ୍ଷାରତ

ମୁଁ ଏକ କ୍ଳାନ୍ତ ଅପରାହ୍ନ ।।


ମୁଁ ଏକ ବୃନ୍ତଚ୍ୟୁତ ପୁଷ୍ପ

ଆଖୋଜା ଅଲୋଡା ହେବାର

ତାଣ୍ଡବ ସଦା ବିଦ୍ୟମାନ

ମୋ ଅସ୍ତିତ୍ଵର ବିସ୍ତୀର୍ଣ୍ଣ ପ୍ରାନ୍ତରେ

କେତେବେଳେ ଦେଖାହୁଏ

ମୋ ସହ ମରୁ ମରୀଚିକାର

କେତେବେଳେ କଥାହୁଏ ମୁଁ

ଖୁବ୍ କଠୋର ନିର୍ଜନତା ସହ ।।

ଆଉ କେତେବେଳେ

ଲମ୍ପଂ ପ୍ରଦାନ କରେ ମୁଁ

ଅଶାନ୍ତ, ଉନ୍ମାଦିତ, ଉତ୍ତାଳ

ତରଙ୍ଗ ର ପ୍ରଖର ସ୍ରୋତରେ ।।


ମୁଁ ଏକ ଶୁଷ୍କ ପତ୍ରଟିଏ

ସ୍ରୋତ ମୁଖେ ଭାସିଯିବାର

ବଜ୍ର ଶପଥ ନେଇଥିବା

ଏକ ଅଭିଶପ୍ତ ମଣିଷ

ନୀଡଟିଏ ରଚିବାର ସ୍ଵପ୍ନ ନେଇ

ବାରମ୍ବାର ଥକି ପଡୁଥିବା

ଅବଶ ପାଦ ମୋର ସଦା ଦୁର୍ବଳ

ଆଗ୍ନେୟଗିରି ର ସ୍ଫୁଲିଙ୍ଗ କୁ

ଛୁଇଁବାର ସକଳ ଚେଷ୍ଟା କରି

ଅସଫଳ ହେବାର ଜ୍ଵଳନ୍ତ ପ୍ରତୀକ

ଭିନ୍ନ ଏକ ଅସହାୟ ମଣିଷ ମୁଁ

ଭିନ୍ନ ଏକ ଜଗତର ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational