ଭଗବତ୍ ଅନୁଭବ
ଭଗବତ୍ ଅନୁଭବ
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ
ତ୍ୟାଗ ଗର୍ବ ଓ ହରିଙ୍କୁ ଭଜ, ଛାଡ଼ି ସମସ୍ତ ବିକାର,
ଶତ୍ରୁ କରନି କାହାକୁ କେବେ, ସାଧୁ ସ୍ୱଭାବହିଁ ସାର ।
କୁଡ଼ିଆଟିଏ ବାଡ଼ିରେ ତୋଳି, ନିନ୍ଦୁକ ରଖ ପାଖରେ,
ବିନା ପାଣି ଓ ସାବୁନ୍ ବିନା, ସ୍ୱଭାବ ସଫା ତୋ କରେ ।
ମନୁଷ୍ୟ ଜନ୍ମ ଅତି ଦୁର୍ଲଭ, ମିଳେନାହିଁ ବାରମ୍ବାର,
ବୃକ୍ଷ ବିଚ୍ୟୁତ ପାଚିଲା ଫଳ, ଲାଗେ ନାହିଁ ପୁନର୍ବାର ।
ଏତିକି ପ୍ରଭୁ ଆମକୁ ଦିଅ, କୁଟୁମ୍ବ ଯଥେଷ୍ଟ ପାଉ,
ଭୋକିଲା କେହି ନିଜେ ନ ରହୁ, ସାଧୁ ଭୋକରେ ନ ଯାଉ ।
ରୁଖା ଓ ସୁଖା ମିଳୁଛି ଯାହା ଖାଇ ଥଣ୍ଡା ପାଣି ପିଅ,
ପରର ରୋଟି ସୁନ୍ଦର ଦେଖି, ଲୋଭାତୁର ନାହିଁ ହୁଅ ।
କବୀର କହେ ନିର୍ଧନ ସବୁ, ଧନବାନ ନୁହେଁ କେହି,
ଯାହାର ଅଛି ନାମର ଧନ, ଧନବାନ ତାକୁ କହି ।
