ଭବ ନାଉରୀ ଭବୁ ଉଦ୍ଧର
ଭବ ନାଉରୀ ଭବୁ ଉଦ୍ଧର
ଏ ଭବ ସାଗରେ ଭାସି ଯାଉଅଛି
ପାଉ ନାହିଁ ଥଳ କୁଳ
ବିଷୟା ଢେ଼ଉରେ ବୁଡି ଯାଉଅଛି
ମନ ହୃଦୟ ବ୍ୟାକୁଳ
ଭବ ସାଗରର ଅଥଳ ଜଳରେ
ଜୀବନ ନଉକା ମୋର
ଭାସି ଯାଉଅଛି ଉତ୍ତାଳ ଢେ଼ଉରେ
ଡର ଭୟେ ଥର ହର ।
ହେ ନୀଳାଦ୍ରି ନାଥ,ଜଗତର ନାଥ
ରକ୍ଷାକର ରକ୍ଷାକର
ତୁମର କରୁଣା ଭିକ୍ଷା କରୁଅଛି
ଝରୁ କରୁଣାର ଧାର
କୃପା ସାଗର ରୁ କରୁଣା ଧାର ରେ
ଭୟ ଦୂର,ଭକ୍ତି ରହୁ
ମନ ବୁଡି ରହୁ ଭକ୍ତି ସାଗର ରେ
ଭାବ ପ୍ରେମ ଜାଗି ରହୁ
ଭାବ ପ୍ରେମର ଅଥଳ ଗଭୀରେ
ହଜି ଯାଉ ଏ ଜୀବନ
ହଜାଇ ନିଜକୁ ହେବି ସମର୍ପିତ
ଶ୍ରୀ ରଙ୍ଗା ଚରଣେ ତୋର ।
ରାଧା ପରି ପ୍ରେମ ଭାବ ନାହିଁ ମୋର
ଜାଣି ନାହିଁ ରାସ ରସ
ମୀରା ପରି କିନ୍ତୁ ସମର୍ପିତ ହେବି
କରି ଦିଅ ମୋତେ ଦାସ
ଅଭାବୀ ବନ୍ଧୁ ମହାନ୍ତି ଭାବ ପରି
ଭାବ ଢେ଼ଉ ନ ଉଛୁଳେ
ଭୋଗ ଥାଳି କଣ ଦେବ କି ବଢାଇ
ଚାହିଁ ଅଛି କୁତୁହଳେ
ଶବରୀ ପରି ମୁଁ କରିଛି ପ୍ରତୀକ୍ଷା
ଭକ୍ତି ହିଁ ମୋହର କୋଳି
ଗୁଣ୍ଡୁଚି ପରାୟ ତୁମ ବଡ ଦାଣ୍ଡେ
ବୋଳି ହେବି ଦାଣ୍ଡ ଧୂଳି
ଦରିଦ୍ର ସୁଦାମା ବନ୍ଧୁ ପରି ଭାବ
ସତେ କଣ ପ୍ରାପ୍ତ ହେବ
ପାଷାଣୀ ଅହଲ୍ୟା ପରି ଚାହିଁ ବାଟ
କୃପା ବଳେ ମୁକ୍ତି ହେବ ।
ଏ ଛାର ଜୀବନ ବିତିଯାଉ ପ୍ରଭୁ
ଗାଇ ଗାଇ ତୁମ ନାମ
ସଞ୍ଜ ଓ ସକାଳେ ପୂଜା ଆରାଧନା
ନିତି ହେଉ ମୋର କାମ
ତୁମ ନାମ ଧରି କେତେ ମହା ପାପୀ
ଭାବ ସାଗରୁ ତରିଲେ
ଦଦରା ନାବରେ ଭବ ସାଗର ରେ
ପାରି ହେବି ସାହା ହେଲେ।।
