ଭାରତର ଅମୃତ ସନ୍ତାନ କଲାମ
ଭାରତର ଅମୃତ ସନ୍ତାନ କଲାମ
ପ୍ରତି ଭାରତୀୟ ହୃଦୟେ ଅଙ୍କିତ
ଅମ୍ଲାନ ତୁମରି ଛବି,
ଅବଦୁଲ କଲାମ ନାମେ ପରିଚିତ
ସତେ କି ଭାରତ ରବି |
ତୁମରି କର୍ମର ଆଲୋକ ଶିଖାରେ
ଗର୍ବିତ ଭାରତ ଆଜି,
ଶତ୍ରୁ ହୃଦୟରେ ଭୟର ତାଣ୍ଡବ
ଗର୍ବ ଯାଉଅଛି ଭାଜି |
ତୁମେ ବୈଜ୍ଞାନୀକ ଭାରତ ମାଟିର
ମିସାଇଲର ଜନକ,
ଅନ୍ତରିକ୍ଷ ଜ୍ଞାନ ସବୁ ତ ଦେଇଛ
ହୋଇଛ ଦେଶେ ମହାନ |
ସୁଶାସକ ଭାବେ ଦେଲ ପରିଚୟ
ଆଦ୍ୟ ନାଗରିକ ଭାବେ,
ଭାରତ ବର୍ଷର ରାଷ୍ଟ୍ରପତି ହେଲ
ଛାତି ଫୁଲିଉଠେ ଗର୍ବେ |
ତୁମେ ପରା ଅଟ ସ୍ବର୍ଗୀୟ ପୁଲକ
ଏ ମାଟି ଫୁଲର ବାସ,
ଯୋଗ୍ୟ ସନ୍ତାନର ପରିଚୟେ ପରା
ଉଲ୍ଲସିତ ଆମ ଦେଶ |
ତୁମେ ଥିଲ ପରା ପରମ ତପସ୍ୱୀ
ଜୀବନରେ କର୍ମବୀର,
ସମୟ ପାଇନ ଖୋଜିବାକୁ ପରା
ହୃଦୟେ ପ୍ରୀତିର ସ୍ୱର |
ତୁମରି ଦରଦ ଫୁଟି ଉଠୁଥିଲା
ଏ ଦେଶର ଶିଶୁ ପାଇଁ,
ତୁମରି ହାତର ପରଶେ ସରଗ
ସୁଖ ଉଠୁଥିଲା ଚେଇଁ |
ସମୟ କବଳେ ତୁମେ ମିଶିଗଲ
ମାଆ ମାଟି କୋଳେ ପରା,
ସବୁରି ହୃଦୟେ ରହିଛ ରହିବ
ଥିବା ଯାଏ ଏଇ ଧରା ।।
