"ଭାରତ ମାତାକି ଜୟ"
"ଭାରତ ମାତାକି ଜୟ"
ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ
"ଭାରତ ମାତାକି ଜୟ"
ଏ ଦେଶ ମାଟିରେ ଜନମ ଆମରି
ଆମେ ସବୁ ଭାରତୀୟ
ଆସରେ ସରବେ କହିବା ଗରବେ
ଭାରତ ମାତାକି ଜୟ ll
ଆସରେ ହିନ୍ଦୁ ଆସ ମୁସଲମାନ
ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ
ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷେ ଆମେ
ଏଇ ମାଟିର ସନ୍ତାନ ll
ଏଇ ମାଟି କୋଳେ ବଢ଼ିଛେ ଆମେରେ
ତା' ଶାକ ତଣ୍ଡୁଳ ଖାଇ
ତା' ପାଣି ପବନେ ଜୀବନ ଆମର
ଫୁଲି ଉଠିଛିରେ ଭାଇ ll
ଏ ମାଟି ଦେଇଛି ଶାନ୍ତି-ସ୍ୱାଧୀନତା
ବନ୍ଧୁ-ପ୍ରିୟ-ପରିଜନ
ସୁଖ-ସମୃଦ୍ଧିରେ ଏ ଦେଶ ମଣିଷ
ହୋଇଅଛି ଗରୀୟାନ ll
ଚିନ୍ତା-ଚେତନାର ମୁକ୍ତ ସ୍ୱାଧୀନତା
ଏ ମାଟି ଦେଇଛି ଆଣି
ସୁସ୍ଥ ପରିବାର ସମାଜ ଗଠନେ
ଲେଖି ସଫଳ କାହାଣୀ ll
ଏ ମାଟି ମହିମା ତା' ଗୁଣ ଗାରିମା
ଏ ବିଶ୍ୱ ପାରିନି କଳି
ଧର୍ମ, ସମ୍ପ୍ରଦାୟ ନାମରେ କାହିଁକି
କରୁଛରେ ଭାଇ କଳି? ll
ଏ ମାଟି ଦେଇଛି ବଞ୍ଚିବାର ରାହା
ଦେଇଅଛି ପରିଚୟ
ଆସରେ ସରବେ କହିବା ଗରବେ
ଭାରତ ମାତାକି ଜୟ ll
ଏ ବିଶ୍ୱ ବକ୍ଷରେ ଏ ଦେଶ ଭାରତ
ଅଟଇ ବୈକୁଣ୍ଠ ସମ
ଶାନ୍ତି-ପ୍ରେମ-ମୈତ୍ରୀ,ଐକ୍ୟ-ସ୍ୱାଧୀନତା
ବିଶ୍ୱ ମଧ୍ୟେ ଅନୁପମ ll
ଛାଡି ହିଂସା-ଦ୍ୱେଷ, ବାଦ ଓ ବିବାଦ
ଆସ ଏକଜୁଟ ହେବା
ଶାନ୍ତି ଅହିଂସାର ପ୍ରେମ ମମତାର
ସନ୍ଦେଶ ବିଶ୍ୱକୁ ଦେବା ll
