ଭାରି ସୁନ୍ଦର ମୋ ଗାଁ
ଭାରି ସୁନ୍ଦର ମୋ ଗାଁ
ଏପଟେ ପହାଡ ସେପଟେ ଝରଣା
ମଝିରେ ଆମରି ଗାଁ
ସୁନ୍ଦର ଯେମିତି ମଧୁର ସେମିତି
ତହାରି ଛୋଟିଆ ନାଁ ।
ସରଗଠୁ ବଳି ଏଇ ଗାଁ ମୋର
ଆଖି ରହିଯାଏ ଲାଖି
ବାଟଘାଟ ତୁଠ ସବୁତ ସୁନ୍ଦର
ମନ ପୂରିଯାଏ ଦେଖି ।
ଋତୁପରେ ଯେବେ ଆସେ ନୂଆ ଋତୁ
ବଦଳେ ମୋ ଗାଁ ରୂପ
ଖରା ପରେ ବର୍ଷା ଶରତ ହେମନ୍ତ
ଶୀତ କହେ ନୂଆ ଗପ ।
ଭାଇଚାରା ଆମ ଗାଁ ଗଉରବ
ଏକତାର ରଙ୍ଗ ବୋଳା
ସୁସ୍ଥ ରହିବାର ସରଳ କଥାରେ
କରନ୍ତିନି କେହି ହେଳା ।
ନଳକୂଅ ପାଣି ପିଅନ୍ତି ସଭିଏଁ
ଶୁଅନ୍ତି ମଶାରୀ ଟାଣି
ଗୁଣ୍ଡି ଗୁଟୁକା ମୋ ଗାଁରେ ବାରଣ
ଆକଟ ତ ନିଶାପାଣି ।
ଧନୀ ହେଉ ଅବା ହେଉରେ ଗରିବ
ଘରେଘରେ ପାଇଖାନା
ନଳକୂଅ ମୂଳ ନଈନାଳ କୂଳ
ଅସନା କରିବା ମନା ।
ନାଳ ନରଦମା ସବୁ ଆମ ସଫା
ଗଡିଆରେ ଦଳ ନାହିଁ
କାଚକେନ୍ଦୁ ପାଣି ମନ ନିଏକିଣି
ଫୁଟେ ଯେବେ ନାଲି କଇଁ ।
ଖାଲଖମା ସବୁ ଦେଇଛୁ ତ ପୋତି
ଜମୁନାହିଁ କାହିଁ ପାଣି
ଯହିଁ ଥିଲା ଯେତେ ପଡିଆ ଜମିତ
ଗଛ ପୋତିଦେଲୁ ଆଣି ।
ମିଳିମିଶି ଆମେ ସୁତୁରା ରଖୁଛୁ
ଘର ଆମ ପରିବେଶ
ସଫାସୁତୁରା ତ ସୁଖଶାନ୍ତି ଆଣେ
ହସି ଉଠେ ଗାଁ ଦେଶ ।
ସଫାସୁତୁରା ତ ସୁସ୍ଥ ରହିବାକୁ
ସଭିଙ୍କୁ ଦେଖାଏ ବାଟ
ସବୁଦିନ ବହେ ଚଇତି ପବନ
ଗାଇ ଗାଇ ମିଠା ଗୀତ ।
ଛୋଟ ଛୋଟ କଥା ମାନିଛୁ ବୋଲିତ
ମୋ ଗାଁ ଲାଗଇ ଭଲ
ତୁଛାଟାରେ କେହି ରୋଗ ବେମାରୀରେ
ହୁଅନ୍ତିନି କଲବଲ ।
