STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଭାଲୁକୁଣୀ ଅଡିସନ

ଭାଲୁକୁଣୀ ଅଡିସନ

1 min
415

ସାହିତ୍ୟ ସଂସଦ କରୁଅଛି ଆଜି

     ଭାଲୁକୁଣୀ ଅଡିସନ‌

ଅନେକ ତରୁଣୀ ଆସିଛନ୍ତି ପୁଣି

     ପାଇ ଯେଣୁ ନିମନ୍ତ୍ରଣ।


ସସ୍ମିତା, କବିତା,ଗୀତା ,ସ୍ନିଗ୍ଧା, ଲତା

     ପ୍ରେମଲତା,ଚାରୁଲତା

ରଞ୍ଜିତା, ସବିତା,ମଞ୍ଜୁଶ୍ରୀ ,ସୁଜାତା,

     ଓ ରୀତା ଅପରାଜିତା।


ମୋନାଲିସା,ସ୍ମୃତି, ମିନତୀ, ବାସନ୍ତୀ,

     ସରସ୍ଵତୀ, ବିଣାପାଣି

ତେଜସ୍ଵିନୀ,ପୂଜାରିଣୀ, ମନସ୍ଵିନୀ,

     ମୁକ୍ତିରାଣୀ, ବିନୋଦିନୀ।


ଚିନ୍ମୟୀ, ଜାନକୀ ପୁଣି ବନଲକ୍ଷ୍ମୀ

     ପ୍ରିୟମ୍ବଦା, ହାସ୍ୟମୟୀ,

ପ୍ରମିଳା, ଉର୍ମିଳା,ସହ ଶୈଳବାଳା,

     କଳ୍ପନା,ପ୍ରଶାନ୍ତମୟୀ। 


ଆସିଛନ୍ତି ଆରାଧନା, ନିରୂପମା,

     ସୁପ୍ରିୟା ଓ ଅନସୂୟା,

ତାଙ୍କ ସହିତରେ ପୁଣି ବି ଅଛନ୍ତି

     ଶୈଳାଧିରାଜ ତନୟା‌।


ଭକ୍ତିରେ ଏମାନେ କରିଛନ୍ତି ଓଷା

     ପୂଜନ୍ତି ଖୁଦୁରୁକୁଣୀ

କାହା ମୁଣ୍ଡେ କିନ୍ତୁ ନାହିଁ ତ ଉକୁଣି 

     କେ ନୁହେଁ ଫୁଲ ଚୋରଣୀ।


ଶନିବାର ରାତି ପାହାନ୍ତାରୁ ଉଠି

    କାହା ବାଡ ଭାଙ୍ଗନ୍ତିନି

ଆଙ୍କୁଡିଟା ଧରି ପିଜୁଳି, କାକୁଡି

    କେବେ ଚୋରୀ କରନ୍ତିନି।


ସବୁ ସୁନାଝିଅ ଖାଣ୍ଟି ଗୁଆଘିଅ 

    ବୋଲି ଦେଲେ ପରିଚୟ

ବିଚାରକ ବାବୁ ସେମାନଙ୍କୁ କିନ୍ତୁ

    କରୁଥିଲେ ଯେ ସନ୍ଦେହ।


ଭାସ୍‌ମଲ ତେଲ ମାରୁଥିବେ ଯେଣୁ

    ଉକୁଣିମୁଣ୍ଡେ ନ ଥିବେ

ହେଲେ ଭାଲୁକୁଣି ଓଷାରେ ତ ନିଶ୍ଚେ

    କା'ବାଡିରେ‌ ପଶିଥିବେ।


ସେ ଯା'ହେଉ କୁହନ୍ତୁ ବାଳିକେ

    ପୂଜ ଯଦି ଭାଲୁକୁଣୀ

କେଉଁଠାରୁ ଏହି ଓଷା ସୃଷ୍ଟି ହେଲା

    କହିବ କେ ଅଛ ଜାଣି।


କିଏ ତ‌ଅପୋଈ କିଏ ତାର ବାପା

    କେତେଥିଲେ ତାର ଭାଇ

ଏତିକି ପ୍ରଶ୍ନର ଯେ ଉତ୍ତର ଦେବେ

    ଆଓ୍ଵାର୍ଡ ପାଇବେ ସେହି।


ଓଡ଼ିଶାର ପୂର୍ବ ବଙ୍ଗୋପସାଗର

    ଜମ୍ଵୁଦୀପ ଉପକୂଳ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର

    ସେ ସାତଭାୟା ଅଞ୍ଚଳ।


ତନୟବନ୍ତ ସେ ସାଧବର‌ ନାମ 

    ଥିଲା ସିଏ ଧନେଶ୍ୱର

ସାତ ପୁଅ ସାତ ବୋହୂ ଏକ ଝିଅ 

    ତ‌ଅପୋଈ ନାମ ତାର।


ସାତଭାଇଙ୍କର ସ୍ମୃତି ଉଦ୍ଦେଶ୍ୟରେ

    ଗ୍ରାମ ନାମ ସାତଭାୟା

ଆଜି ସେ ଗ୍ରାମକୁ ସମୁଦ୍ର ଲହଡି

    ମାଡ଼ି ଖାଇଲାଣି ଯାହା।


ମା'ପଞ୍ଚବରାହୀ‌ ରହିଛନ୍ତି ସାକ୍ଷୀ

    ନବଦୁର୍ଗା ଠାକୁରାଣୀ

ଯାହାଙ୍କ ପାଖରେ ତ‌ଅପୋଈବାଳୀ‌

    ପୂଜୁଥିଲା‌ ଭାଲୁକୁଣି।


ସେଇଠୁ ସାଧବ ସାତଭାଇଙ୍କର

    ବୋଇତ ବାହାରୁଥିଲା

ସେଇ ସ୍ମୃତି ଆଜି କାର୍ତ୍ତିକେ ବୋଇତ

    ବନ୍ଦାଣ‌ ଉତ୍ସବ ହେଲା।


ଏମିତି ଉତ୍ତର ଶୁଣି ବିଚାରକ 

    ଭାରି ଖୁସି ହୋଇଗଲେ

ଏ ବାଳିକେ ବୋଧେ କବି ହୋଇଥିବେ

    ମନେ ମନେ ଭାବିନେଲେ।


ପୁରସ୍କାର ପାଇ ସମସ୍ତେ ସେଠାରେ

    ମିଠା ବଣ୍ଟାବଣ୍ଟି‌ ହେଲେ

ଏ ମୂର୍ଖ ଅପର୍ତ୍ତି ଥିଲା କିନ୍ତୁ ସେଠି

    ତାକୁ କେହି ନ ଯାଚିଲେ‌। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy