ଭାବନା
ଭାବନା
କଳ୍ପନା ରାଜ୍ୟର ସୁନ୍ଦରୀ ତରୁଣୀ
କବିମନର ମାନସୀ,
ହୃଦୟରେ ସିଏ ନବବଧୂ ରୂପେ
ବିରାଜିତ ଅହନିଶି।
ଦୁଃଖ ଭିତରେ ବି ସୁଖର ସନ୍ଧାନ
ଆନନ୍ଦ ଖୁସି ଅପାର,
ଅନୁଭବେ ତାର ଅସରନ୍ତି ଖୁସି
ଲାଗିରହେ ନିରନ୍ତର।
ନିଭୃତ ମନର ନିଃଶବ୍ଦ ପୁଲକେ
ବୁହାଏ ଅମୃତ ଝର,
ମନ ହୃଦୟରେ ସ୍ମୃତିର ପସରା
ଆଙ୍କି ଦିଏ ବାରମ୍ବାର।
ପ୍ରେମ ଓ ପ୍ରୀତିର ସମ୍ମୋହକ ସୁର
ସିଏ ଅମୃତର ଧାରା,
ପ୍ରୀତିସମ୍ଭାରରେ ପବିତ୍ର ପ୍ରେମରେ
କରିଥାଏ ଆତ୍ମହରା।
ଭାବନା ଅଟଇ ମନ ଭୁବନର
ଅନ୍ତହୀନ ଅନୁପ୍ରାସ,
ତାହାରି ଭିତରେ ଖୋଜି ପାଇଥାଏ
ଫର୍ଦ୍ଦ ଫର୍ଦ୍ଦ ଅଭିଳାଷ।
ଗମ୍ଭୀର ହୃଦୟେ ଚିନ୍ତା ଚେତନାର
ରହିଥାଏ ନିରବରେ,
ନୀରବ ଶବ୍ଦର ଭବ୍ୟ ସମାହାରେ
ପ୍ରକଟେ ଶବ୍ଦ ଭଣ୍ଡାରେ।
ସୁନ୍ଦର ତାହାର ମଧୁର ପରଶ
ପ୍ରୀତିର ପୁଲକ ଆଣେ,
ମୁଗ୍ଧ ଅନୁଭବ ବିଭୁତି ବିଭବ
ଭାବମୟ ଉପାଦାନେ।
ଅନାବନା କେତେ ଭାବନା ଆସଇ
ମନର ପରିଧି ଡେଇଁ,
ତାକୁ ଅଟକାଇ ହୁଏନା କେବେ ବି
ଚେତନାରେ ବନ୍ଧ ଦେଇ।
ମନ ଓ ଭାବନା ଏକତ୍ରିତ ହେଲେ
ସୃଜନାତ୍ମକ ଭାବରେ,
ସେହି ଭାବ,ଭାବନାର ରୂପାନ୍ତରେ
ସୃଷ୍ଟି ସ୍ଵତଃସ୍ପୃତ ଝରେ।