ଭାବିବନି ପର
ଭାବିବନି ପର
ଆସ ପ୍ରତିବର୍ଷ ତୁମେ ଶୀତରାଣୀ
ବଦଳାଇ ରଙ୍ଗ ରୂପ
ବାରିହୁଏ ସ୍ପଷ୍ଟ ପରିବର୍ତ୍ତନର
ପ୍ରାକୃତିକ ପରିଦୃଶ୍ଯ ।
ତୁମ ଅନୁଭବ ଲାଗିଲେ ବି କଷ୍ଟ
ଜୀବନ କରଇ ସହ୍ଯ
ତୁମ ଅନୁକମ୍ପା ଯୋଗୁ କୃତକୃତ୍ୟ
ହରି ଦୁଃଖ ସୁଖ ଦିଅ ।
ଦେଖି ଶୁଣି ଜାଣି ବଦଳି ପାରୁନି
ମଣିଷ ତାର ପ୍ରକୃତି
ହେଉଛି କ୍ରମଶଃ ଅତି ସ୍ବାର୍ଥପର
ଈଶ୍ବର ତୁଚ୍ଛ ମଣୁଛି ।
ଭାବୁ ନାହିଁ ସିଏ ଭଲ କିବା ମନ୍ଦ
ହିତକର କେଉଁ କର୍ମ
ବୁଦ୍ଧିକୁ ହରାଇ କରେ ଅପକର୍ମ
ବିନାଶକୁ ନିମନ୍ତ୍ରଣ ।
ନିବିଡ ତୁମର ଆତ୍ମିକ ସମ୍ବନ୍ଧ
ପାରିବୁନି କେବେ ଏଡି
ଜୀବନ ସହିତ ତୁମେ ଅଙ୍ଗୀଭୂତ
ରକ୍ତ ଅସ୍ଥି ମଜ୍ଜା ପରି ।
ଭାବିବନି ପର ଋତୁ ଶୀତରାଣୀ
କରିବନି ହତାଦର
ଅକୁଣ୍ଠିତ ଚିତ୍ତେ ବାଣ୍ଟିବ ମମତା
ବିଶ୍ବାସ ଅଛି ଆମ୍ଭର ।