STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଭାବି ନେବା ଆମ କାମଟି ଏହି

ଭାବି ନେବା ଆମ କାମଟି ଏହି

1 min
407

      କୁସୁମ କହିନି ଆଣ ବୋହି ହେଲେ

          ପବନ ଆଣୁଛି ତା' ବାସ ବୋହି

      ଆକାଶ କହିନି ନେବ ମୋହି ହେଲେ

          ରୂପ ତା' ନେଉଛି ମନକୁ ମୋହି ।। 


      ତଟିନୀ କହିନି ନେଏ ଟାଣି ହେଲେ

          ସୁଅଟି ନେଉଛି ପାଣିକି ଟାଣି

      ହେମାଳ କହିନି ଦିଅ ଆଣି ହେଲେ

          ଉତ୍ତରା ବାଆଟି ଦେଉଛି ଆଣି ।। 


     ପାଦପ କହିନି ପଡ ଖସି ହେଲେ

          ପତରଟି ଖସି ପଡୁଛି ତଳେ

     ଆଲୋକ କହିନି ନିଅ ବୋଲି ହେଲେ

          ଦିନମଣି ଆଣି ଆସନ୍ତି ବଳେ ।। 


     ଦିବସ କହିନି ଯିବ ଚାଲି ହେଲେ

          ସୂରୁଯ ଦେବତା ଯାଆନ୍ତି ବୁଡ଼ି

     ଆକାଶ କହିନି ଯାଆ ଉଡି ହେଲେ

         ଡେଣା ଝାଡି ପକ୍ଷୀ ଯାଆନ୍ତି ଉଡ଼ି ।। 


     ସପନ କହିନି ନିଅ ସାଥେ ହେଲେ

         ନିଦଟି ତା' ସାଥେ ଆସୁଛି ଧରି

     ପାହାଡ଼ କହିନି ଯାଆ ଝରି ହେଲେ

        ଝରଣା ଯାଉଛି ତା' ଦେହେ ଝରି ।। 


     ନୟନ କହିନି ଯାଆ ବହି ହେଲେ

         ଅମାନିଆ ଲୁହ ଯାଉଛି ବହି

     କଲମ କହିନି ଦିଅ ଲେଖି ହେଲେ

        ଲେଖି କେତେ କଥା ଦେଉଛୁ କହି ।। 


     ସାଗର କହିନି ଆସ ଫେରି ହେଲେ

         ଜୁଆର କୂଳରୁ ଆସୁଛି ଫେରି

     ଧରଣୀ କହିନି ଯାଆ ଘେରି ହେଲେ

        ସକାଳେ କୁହୁଡ଼ି ଯାଉଛି ଘେରି ।। 


     ଆପେ ଆପେ ଏଠି ହୁଏ କିଛି କାମ

        କିଏ କହୁ ଅବା ନ କହୁ କେହି

     କରିବାକୁ ହେବ ଲାଗିଥିବା ତେଣୁ

        ଭାବି ନେବା ଆମ କାମଟି ଏହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational