ବେଲଗାମ୍ ମନ
ବେଲଗାମ୍ ମନ
ଏ "ବେଲଗାମ୍ ମନ"ଟା
ବୋଲ ନ ମାନି
ଅତୀତ ସ୍ମୃତିକୁ ସାଉଁଟି
ଏଣୁ ତେଣୁ କେତେ କଥା ଭାବିଚାଲିଛି ।
ସବୁ କିଛି ଆଜି
ନୂଆ ନୂଆ ପରି ଲାଗୁଛି,
ଶରୀର ସାରା
ରୋମାଞ୍ଚର ଶିହରଣ ଖେଳି ଯାଉଛି ।
ତୁମ ସାଥେ ବିତିଥିବା
ପୁରୁଣା ସ୍ମୃତି ଗୁଡିକ ସବୁ
ସତେଜ ଗୋଲାପ ଫୁଲ ହୋଇ
ଫୁଟି ଉଠୁଛି ।
ସେଇ ପ୍ରେମ ପ୍ରଣୟର ନିବିଡତା
ହୃଦୟ କନ୍ଦରରେ
ଭୂମିକମ୍ପ ସାଜି
ଆଲୋଡନ ସୃଷ୍ଟି କରୁଛି ।
ତୁମ ମଧୁଝରା ଗୋଲାପ ପାଖୁଡା ଓଠର
କୋକିଳ ପରି ମଧୁର ସ୍ବର କଥା
ବାରମ୍ବାର କାନରେ
ପ୍ରତିଧ୍ବନି ହୋଇ ଶୁଭୁଛି ।
ପରିଶେଷେ ତୁମର ମୋର
ପ୍ରେମ ବିରହକୁ
ଯନ୍ତ୍ରଣାର ମାପକାଠିରେ ମାପି ଦେଖିଲେ
ନୟନ ଯୁଗଳରୁ ଲୁହଧାର ଝରିପଡୁଛି ।
କାହିଁକି ନା,
ଏବେ ପୁଣି ଆମ ଶେଷ ଦେଖା
ହୋଇଥିବା ସେଇ
ଫଗୁଣଟା ଫେରି ଆସିଛି ।