Anupama Sahu

Abstract

4  

Anupama Sahu

Abstract

ବାପା

ବାପା

1 min
192



ପିତା ଅଟେ ସତ୍ୟ  

ପିତା ଅଟେ ଧର୍ମ 

ପିତା ଯେ ସକଳ ଶକ୍ତି 

ପରିଚୟ ପାଉ 

ସମାଜ ଦୁଆରେ 

ତାଙ୍କ ପାଦେ ରଖ ଭକ୍ତି ।


ପ୍ରଦୀପ ପରାଏ 

ସେ ଯେ ତେଜିୟାନ 

ବିଶାଳ ତାଙ୍କ ହୃଦୟ 

ପିତା ପାଶେ ଥିଲେ 

ସର୍ବ ଶକ୍ତି ମିଳେ 

ଜୀବନ ଉଜ୍ଜ୍ୱଳମୟ ।


ନାରିକେଳ ପ୍ରାୟ 

ଅଟେ ତାଙ୍କ ମନ 

କଠିନ ମଧ୍ୟେ କୋମଳ 

ସନ୍ତାନ ପାଇଁ ସେ 

ସୁରକ୍ଷା କବଚ 

ତାଙ୍କ ହିତାର୍ଥେ ବ୍ୟାକୁଳ ।


ଶ୍ରୀରାମ ଶ୍ରବଣ 

ଭୀଷ୍ମ ପର୍ଶୁରାମ 

ଥିଲେ ପିତାଙ୍କର ଭକ୍ତ 

ତ୍ୟାଗ ଅନୁରାଗ 

ସମ୍ମାନ ସରାଗ 

ଦେଇ ହୋଇଛନ୍ତି ଖ୍ୟାତ ।


ଅଜାତଶତ୍ରୁ ଓ 

ଡାକ ମୁନିସିର

ପିତା ପ୍ରତି ବ୍ୟଭିଚାର 

ଇତିହାସ ପୃଷ୍ଠା 

କଳଙ୍କିତ ସାକ୍ଷୀ 

କରେ ସଦା ତିରସ୍କାର ।


ଆକାଶୁ ସୁରୁଜ 

ଅସ୍ତମିତ ହେଲେ 

ଆସଇ ଘୋର ତମସା 

ସେହି ପରି ପିତା 

ନ ଥିଲେ ପାଶରେ 

ଗ୍ରାସେ ଜୀବନକୁ ଦଶା ।


ଦୁନିଆଁ ଆଲୋକ 

ତାଙ୍କ ପାଇଁ ସିନା 

ଦେଖୁଛୁ ସୁନ୍ଦର ଧରା 

ଜନ୍ମି ନାହିଁ କେହି 

ସନ୍ତାନ ମହୀରେ 

ସୁଝି ଦେବ ଋଣ ପରା ।


ଆଜି ଏ ସମାଜ 

ପରିଣତ କାଳେ 

ପିତା ରହେ ବୃଦ୍ଧାଶ୍ରମେ 

ଭୁଲି ଯାଏ ପୁତ୍ର 

ପିତା ମହାନତା 

ବୁଡି ମାୟାବିନୀ ପ୍ରେମେ ।


ହୁଅ ସଚେତନ 

ହେ ପୁତ୍ର ନନ୍ଦନ 

ନିନ୍ଦିତ ହୁଅନା କେହି 

ପିତୃ ଦିବସରେ 

କର ହେ ଶପଥ 

ପିତା ଙ୍କୁ ଭୁଲିବା ନାହିଁ ।


ସୁଖ ଦୁଃଖ ସବୁ 

ଲାଗଇ ସମାନ 

ପିତା ତ ସରଗ ପୁର 

ତାଙ୍କ ଚରଣରେ 

ଭକତି ଭାବରେ 

କରେ କୋଟି ନମସ୍କାର ।


Rate this content
Log in

Similar oriya poem from Abstract