ବାଳି ମୋକ୍ଷ
ବାଳି ମୋକ୍ଷ
ବସୁମତୀ ଭାରା ଉଶ୍ୱାସ ନିମନ୍ତେ
ଚତୁର୍ଦ୍ଧା ମୂରତି ରୂପେ l
ଶ୍ରୀରାମ ,ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ
ରଘୁବଂଶେ ଜନ୍ମି ଆପେ ll
ବନବାସ ବେଳେ ରାବଣ ହରିଲା
ମାୟାରେ ସତୀ ସୀତାଙ୍କୁ l
ଜଟାୟୁ ଉଦ୍ଧରୀ କବନ୍ଧ ନିବାରି
ମିଳିଲେ ରାମ ହନୁ ଙ୍କୁ ll
ପ୍ରଭୁଙ୍କ ଦର୍ଶନ ପାଇ ହନୁମାନ
ଶକତି ଫେରି ପାଇଲା l
କାନ୍ଧରେ ବସାଇ ଶ୍ରୀରାମ ଲକ୍ଷ୍ମଣ
ସୁଗ୍ରୀବ ପାଶେ ମିଳିଲା ll
ଅଗ୍ନି ସାକ୍ଷୀ ରଖି ମଇତ୍ର ବସିଲେ
ବେନିଜନେ ଏକ ଦଶା l
ବାଳିର ଚରିତ୍ର ସୁଗ୍ରୀବଠୁ ଶୁଣି
ବଧିବେ ଲାଗିଲା ନିଶା ll
ସମ୍ମୁଖ ଯୁଦ୍ଧରେ ବାଳି ବଳବାନ
ଶତ୍ରୁର ଅର୍ଦ୍ଧେକ ବଳ -
ହରଣ କରିବା ଆଶୀର୍ବାଦ ଅଛି
ବଢିଯାଏ ତାର ବଳ ll
ବର ସେ ପାଇଛି ସପତ ତାଳକୁ
ଏକ କାଣ୍ଡେ ଯେ ଛେଦିବ l
ତାହାର ହାତରେ ବଳବାନ ବାଳି
ନିଶ୍ଚୟ ବିନାଶ ହେବ ll
ସୁଗ୍ରୀବର ବୀର ଘେନିଲେ ସଙ୍ଗରେ
ରାମ ଲକ୍ଷ୍ମଣଙ୍କୁ ସେଥି l
ଏକା କାଣ୍ଡକରେ ରାମ ରଘୁବୀର
ସପ୍ତତାଳ ଛେଦି ଗୁନ୍ଥି ll
ବିଚାର କରିଲେ ଯୁଦ୍ଧକୁ ପେଶିବେ
ସୁଗ୍ରୀବଙ୍କୁ ବାଳି ପାଶେ l
ଶୁଣି ସୁଗ୍ରୀବ ର ଚଳିଲା ସତ୍ୱର
ସିଂହଦ୍ୱାରେ ରଣ ଘୋଷେ ll
ଡାକରା ଯୁଦ୍ଧର ପାଇ ବାଳି ବୀର
ନଗ୍ରରୁ ବାହାର ହେଲା l
ସୁଗ୍ରୀବର ପାଇ ତାତ୍ସଲ୍ୟେ ହସଇ
ଅକ୍ଳେଶେ ପରାସ୍ତ କଲା ll
ପରାଜୟ ଗ୍ଲାନି ସୁଗ୍ରୀବର ଘେନି
ଶ୍ରୀରାମ ପାଶେ ମିଳିଲା l
ପୁନର୍ବାର ରାମ ଯୁଦ୍ଧକୁ ପେଶିଲେ
ଗଳେ ଦେଲେ ପୁଷ୍ପମାଳା ll
ବେନି ଭାଇଙ୍କର ସ୍ୱରୂପ ଯେ ଏକ
କେବଳ ମାଳା ସଂକେତ l
ଦୂରୁ ଥାଇକରି ଶ୍ରୀରାମ ଦେଖିଲେ
ମନେ ହେଲେ ହରଷିତ ll
ସୁଯୋଗକୁ ଦେଖି ଦିବ୍ୟ ଅସ୍ତ୍ର ଯୋଖି
କାଣ୍ଡେକ କଲେ ପ୍ରହାର l
ବକ୍ଷେ ତୀକ୍ଷ୍ଣ ବାଣ ଭେଦେ କପିରାଣ
ଟଳିପଡିଲା ଧରାର ll
ଧାଇଁଗଲେ ରାମ ବାଳିର ନିକଟେ
କରଯୋଡ଼େ କପିସାଇଁ l
ଆହେ ପରଂବ୍ରହ୍ମ ମୁଁ ଅତି ଅଧମ
କପଟ କଲ କିମ୍ପାଇ ll
ଘେନ ମୋର ପ୍ରାଣ ଆପଣା ଭୁବନ
ମୋକ୍ଷ ଦିଅ ପ୍ରଭୁ ବାରେ l
କିଛି ଉପଦେଶ ଘେନ ହେ ଶ୍ରୀରାମ
ଲାଗିବ ତୁମ କର୍ମରେ ll
ଉପଦେଶ କହି ପ୍ରାଣ ଛାଡି ଦେଇ
ମିଶିଲା ପ୍ରଭୁଙ୍କ ହୃଦେ l
ଉଦ୍ଧାର କରନ୍ତି ଜଗତ କରତା
ସଂସାର ଥିଲେ ପ୍ରମାଦେ ll
