ଅସତ୍ୟ ସହରେ
ଅସତ୍ୟ ସହରେ
ଅସତ୍ୟ ସହରେ ନିତି ଅଭିନୟ କରେ
ମଧୁର ମିଥ୍ୟା ନାଁ ରେ ସୁଆଙ୍ଗ ଆସରେ
ସ୍ଵାର୍ଥ ସିଦ୍ଧି ନାଁ ରେ କୁର୍କୁଟିଆ ପେଞ୍ଚ ମାରେ
ଏକରୁ ଅନେକ ମିଠା କଥା ଆଳରେ
ମିଛ କୁ ଚର୍ବିତ ଚର୍ବଣ କରି ସୁଆଦିଆ କରେ
ଲୋକଙ୍କୁ ହଇରାଣ ହରକତ କଲେ
ବଡ଼ ବିଜୟ ଭାବି ହା ହା ବାହାବା ସାରେ
ମୋତେ ଜଣା
ନ୍ୟାୟାଳୟରେ ସବୁଠାରୁ ବେଶି ବିକେ ମିଛ
କଳାକୋଟ ତଳେ କାଢ଼େ ବେକ କଇଁଛ
ପବିତ୍ର ଗ୍ରନ୍ଥ ଗୀତା ଉପରେ ହାତ ରଖି
ସଭ୍ୟ ମଣିଷ ଗଳ ଗଳ ଅନର୍ଗଳ ବଖାଣେ ସତ ପୁଡିଆରେ ମହରଗ ମିଛ
ବାସ୍ତବରେ ରଙ୍ଗ ପୁଟରେ ଛଣା ନିଚ୍ଛକ ମିଛ ମାନେ
ବହଳିଆ ତେଲ ଦିଆ ସଜୁଆ ସତ ପାଲଟି ଯାଆନ୍ତି ଅତି ଆପଣାର ମିଛ କବଚ୍ଛ ।
କିନ୍ତୁ ଆଶ୍ଚର୍ଯ୍ୟ
ଦୁଇ ଢୋକ ନାଲିପାଣି ଗଳା ତଳକୁ ଖସିଗଲେ
ସବୁ ସତ ପଦାକୁ ବାହାରେ ହାଉଲେ ହାଉଲେ
ସତ୍ୟର ରାଜୁତି ଚାଲେ ଗର୍ଜନ ତର୍ଜନ
ଶରୀର ଦୋହଲୁଥାଏ ଅଙ୍ଗ ପ୍ରତ୍ୟଙ୍ଗ
କଥା ଥଙ୍ଗ ଥଙ୍ଗ ସମ୍ଭାଳୁନଥାଏ ମଙ୍ଗ
ସ୍ଥାନ କାଳ ପାତ୍ର ଭୁଲି ସତ୍ୟବାନ ସାଜି
ଅବିସ୍ଵସନୀୟ ସତ୍ୟ ତରଙ୍ଗ ଭମଙ୍ଗ
ହସିବେ ବନ୍ଧୁ ଆପଣେ
ସ୍ଵାମୀ କହୁଥିବେ
ମାଇପେ ଜାତିକୁ ପଚାରେ କ'ଏ
ଘରର ସବୁ ଫଇସଲାରେ ମୁଁ ପରା ସିଏ
କିନ୍ତୁ ସତ କଥା ହେଲା
ସର୍ବେସର୍ବା ହେଇ ବି
ଟିଭି ରିମୋର୍ଟ ବି ବଦଳେଇ ପାରେନା
ଅପଦାର୍ଥ ଟିଏ
ଦାନ୍ତ ଚିପି ମୁରୁକେଇବ ଆପଣେ
ସ୍ତ୍ରୀଲୋକ କହୁଥିବେ
ଦୀପୁ ବାପାଙ୍କୁ ନ ପଚାରି
ତାଙ୍କ କାନରେ କଥା ଟି ନ ପୁରେଇ ପାରି
ତାଙ୍କ ବିନାନୁମତିରେ ବିନା ଆଦେଶରେ
ପାରିବିନି ଲୋ ବଉଳ ନିଷ୍ପତ୍ତି ଶୁଣେଇ ସରି
ମିଛର ରାଜ୍ୟେ ସତ୍ୟ କାନ୍ଦେ ଗୁମୁରି ଗୁମୁରି
ବନେଇ ବଙ୍କେଇ ମୁରୁକେଇ
ଡାହା ମିଛ ବିକେ ବାନାକୁ ଉଡେଇ
ସତ୍ୟ ବାନ୍ଧି ଅନ୍ଧ ପୁଟୁଳି ଗାନ୍ଧାରୀ ସୁମରୀ
ହାରେ ଯୁଦ୍ଧ ଜୀବନ ଯୁଦ୍ଧରେ ଡେଇଁ
ପୁଣ୍ୟ ଜଗତେ ଧର୍ମର ପ୍ରଚାର ପ୍ରସାର
ମିଥ୍ୟାର ଜୟଜୟ କାର
ସତ୍ୟର ସୁରୁଜ ବୁଣୁନି କିରଣ ମୁରୁଜ
ଅନ୍ଧାରି ମୂଲକେ ଶ୍ରେୟସ୍କର ।