ଅସମାହିତ ପ୍ରଶ୍ନ
ଅସମାହିତ ପ୍ରଶ୍ନ
ପରଧନରୁ ପରଝିଅର ଦୂରତାକୁ
ମାପି ଚାଲିଥିଲା ଦୁହିତା ହୋଇ
ଭାବିଥିଲା ସନ୍ତର୍ପଣରେ ଲେଖିବ କିଛି ସନ୍ଦର୍ଭ
ଲେଉଟି ଚାଲିଥିଲା ଅନେକ ପୁରୁଣା ଫର୍ଦ୍ଦ।
ଲେଖି ପାରିଲାନି ଉପକ୍ରମରେ କିଛି
ତାକୁ ମିଳିଲାନି ଏମିତି କୋୖଣସି ପରିଚୟ
ନିଜକୁ ପରିଚିତ କରିବ
ଅନେକ ଅସମାହିତ ପ୍ରହେଳି ତା'ପାଇଁ ହୋଇ
ରହିଗଲା ପ୍ରଶ୍ନବାଚୀ !
ଦୋଷ ସମୟର ଅବା ପରିସ୍ଥିତିର
ବଳି ପଡୁଥିଲା ସିଏ ସମାଜର
କ୍ରୂର ନିୟମ ପାଖରେ
କିଏ ଖୁଣୁ ଥିଲା ଦେହର ଶ୍ୟାମଳ ରଙ୍ଗକୁ
କିଏ ଟେକି ଦେଖୁଥିଲା ପାଦର ଆଙ୍ଗୁଠିକୁ
ଆଉ କିଏ ପୁଣି ଉଚ୍ଚତାକୁ ।
କିଏ ଜିଜ୍ଞାସୁ ଥିଲା ଘରକରଣା ଜ୍ଞାନର
କିଏ ନିର୍ଦ୍ଵନ୍ଦରେ ପରଖୁଥିଲା ତା' ବ୍ୟବହାର ।
ନିଜ ଉପରୁ ଏକ ସାମାଜିକ ବୋଝର
ଲାଘବ ପାଇଁ ବାପା ବି ଜଳେଇ ଚାଲିଲେ
ନିଜର ସ୍ଵାଭିମାନକୁ
ପଶା ଖେଳରେ ବାଜି ହାରିବା ପରି
ହାରି ଚାଲିଥିଲେ ସଞ୍ଚିତ ପାଣ୍ଠି ସବୁକୁ ।
ସେ ବା କ'ଣ କରନ୍ତା ?
ଏସବୁ ଅକଥନୀୟ ପରିସ୍ଥିତିରେ
ନିଜକୁ କଷି ସାରିଲା ପରେ
ନିଜର ଲୋକଙ୍କ ଉପରୁ ପରଧନର
ବୋଝକୁ ଲାଘବ କଲା ପରେ
ଯେବେ ସେ ଆସି ଲେଉଟାଏ
ଆଉ ଗୋଟେ ଫର୍ଦ୍ଦକୁ
ପାଏ ନିଜକୁ ଅସଂସ୍କାରୀ ଅସଣ୍ଠଣା
ଅବିବେକୀ ଓ ଉଦଣ୍ଡୀର ଆଖ୍ୟାରେ ।
ଭାବନାର ସୁଦୀର୍ଘ ଆକାଶରେ
ସେ ବି ଅଟକି ଯାଏ ପୁଣି ଏକ ପ୍ରଶ୍ନର
ଦ୍ଵାରଦେଶରେ !
ଶୁଆ ପରି ଶିଖିଥିବା ସଣ୍ଠଣା
ଆଉ ସେ ବତୁରିଥିବା ସଂସ୍କାର
କଣ ଏବେ ଏ ଫର୍ଦ୍ଦ ବହିର୍ଭୂତ ?
ତଥାପି ଯଦି ପରନ୍ତୁ ଭିତରେ
ମାନ ଅଭିମାନ ସବୁ ଜଳି ଚାଲେ
ଚୁଲିର ନିଆଁରେ ।
ଉପସଂହାରରେ ସେ ଏତିକି ଜାଣେ
ଜୀବନର ପରିଧିକୁ ମାପି ହୁଏ
ଜନ୍ମ ଓ ମୃତ୍ୟୁର ଅଙ୍କ କଷା ଭିତରେ
ହେଲେ ମାପି ହୁଏନା ଦୁହିତାର କର୍ତ୍ତବ୍ୟକୁ
ଅତଏବ ନ'ଥାଏ ତା'ର ବିବଶତାର ।