STORYMIRROR

Upendra prasad Mahala

Inspirational

4  

Upendra prasad Mahala

Inspirational

ଅସ୍ବାଭାବିକ ସମୁଦ୍ର

ଅସ୍ବାଭାବିକ ସମୁଦ୍ର

2 mins
232

ସମୁଦ୍ର ଗର୍ଜୁଛି , ନିରନ୍ତର ଢେଉ ସହ
ଖେଳୁଛି । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର
ମାଧ୍ୟାକର୍ଷଣ ଆଣୁଛି ଜୁଆର ଓ ଭଟ୍ଟା ।
ଜଳଗ୍ରହ ପୃଥିବୀର ଏକ ଭାଗ ମାଟିକୁ
ଘେରିଛି ତିନି ଭାଗ ପଞ୍ଚ ମହାସାଗର।
ବରଫ ଯୁଗରେ ସମୁଦ୍ର ଲୁଣି ଜଳରେ
ଜୀବନର ସୃଷ୍ଟି, ଜେଲିରୁ କ୍ରମବିକାଶ,
ଜୈବ ବିବିଧତାର ଗନ୍ତାଘର ଏ ସମୁଦ୍ର
ଗର୍ଭରେ ଧରି ରଖିଛି ବହୁ ପୁରୁଣା ଜୈବ
ଐଶ୍ବର୍ଯ୍ୟ, ନାନାଉଦ୍ଭିଦ, ସାମୁଦ୍ରିକ ଜୀବନ,
ବୃହତ୍ ସ୍ତନ୍ୟପାୟୀ ନୀଳ ତିମି, ଡଲଫିନ,
ସାର୍କ, ଅକ୍ଟୋପାସ, ଅମାପ ମତ୍ସ୍ୟ ସମ୍ପଦ।
ଜଳ ମଝିରେ ରହିଛି ମଣିମୁକ୍ତାର ପାହାଡ,
ବାଲୁକା ସ୍ତୂପ, ଅସଂଖ୍ୟ ସବୁଜ ଦୀପପୁଞ୍ଜ,
କେଉଁଠି ନୀଳ, କୃଷ୍ଣ ଓ ଲୋହିତ ଜଳ
କେଉଁଠି ବରଫର ପାହାଡ, ଗ୍ଲାସିୟର।


ସ୍ଥଳଭାଗ ଉପରେ ପ୍ରବାହିତ ଅନେକ
ନଦୀନଦ ମୁହାଣ ମେଲି ଛୁଇଁଛି ସମୁଦ୍ର।
ବିଶ୍ବତାପନ, ସବୁଜ ଘର, ଜଳବାୟୁରେ
ପରିବର୍ତ୍ତନ ବଢାଇ ଚାଲିଛି ଜଳପତନ।
ଦିନକୁଦିନ ଦେଖିବାକୁ ମିଳୁଛି ସମୁଦ୍ରର
ଅଶାନ୍ତ ସ୍ବରୂପ, ଅସ୍ବାଭାବିକ ଆଚରଣ
ସୁନାମୀ ଓ ଝଡତୋଫାନ ବିପର୍ଯ୍ୟୟ,
କୂଳ ଲଂଘି ଧ୍ବଂସ ଲୀଳା ରଚୁଛି ଜୁଆର ।


ଦିନେ ସଂସାରକୁ ଆଣିଥିଲା ମହାପ୍ରଳୟ
ଧ୍ବଂସ ଲୀଳା ସଂଘଟନ ପରେ ନବସୃଜନ !
ଏବେ ଅସ୍ବାଭାବିକତା ଦେଉଛି ସଙ୍କେତ
ଭାରି ପଡିବ ପ୍ରକୃତି ଉପରେ ଅତ୍ୟାଚାର,
ମନୁଷ୍ୟକୃତ ଅପରିଣାମଦର୍ଶୀ କର୍ମଫଳ।
ଆନ୍ଧ୍ରର କୃଷ୍ଣା ଗୋଦାବରୀ ଅବବାହିକାରେ
ଦେଖିବାକୁ ମିଳିଛି ସମୁଦ୍ରର ବିସ୍ମୟ ରୂପ !
ବାରମ୍ବାର ଜୁଆର କୂଳକୁ ଡେଇଁବା ପରେ
ଦୁଇ କି.ମି. ପଛକୁ ପଛ ଘୁଞ୍ଚିଯିବା ଦୃଶ୍ୟ ।
ବିଜ୍ଞାନ ଜଗତରେ ଖେଳାଇଛି ଆଲୋଡ଼ନ,
ଅଶାନ୍ତ, ଉତ୍ତାଳ ରହିଛି ବଙ୍ଗୋପସାଗର ।
ସୁନାମୀ ବେଳେ ସମୁଦ୍ର କିଛିଦୂର ଘୁଞ୍ଚିଯାଇ
ଉଚ୍ଚ ଜୁଆର ସହିତ ଲେଉଟିବା ଥିଲା ଜଣା,
ଏବେ ନା ଅଛି ସୁନାମୀ, ନା ଭୂକମ୍ପର ଚିହ୍ନ!
ପଶ୍ଚିମଘାଟରୁ ପୂର୍ବଘାଟ ପର୍ବତମାଳା ଦେଇ
ପ୍ରବାହିତ ଗୋଦାବରୀର ମୁହାଣ ସଂଲଗ୍ନ
ଉପକୂଳ ଦେଖିଛି ଏ ମହାଜାଗତିକ ରୂପ !


ପୂର୍ବରୁ ବୈଜ୍ଞାନିକ ଦେଇଥିଲେ ଚେତାବନୀ
ସମୁଦ୍ର ଜଳପତନ ବୃଦ୍ଧି ଆଣିଦେବ ବିପଦ
ଉପଗ୍ରହ ଚିତ୍ର ଦେଉଛି ସାଙ୍କେତିକ ରୂପ
ବୁଡିଯିବ ପୃଥିବୀର ବହୁ ନିମ୍ନ ସ୍ଥଳଭାଗ ,
ଓଡ଼ିଶାର ପାରାଦୀପ, ସାତଭାୟା ଭଳି
ଅନେକ ଖାଲୁଆ ଅଞ୍ଚଳ ପଡ଼ିବନି ବାଦ,
ବଙ୍ଗୋପସାଗର ଗର୍ଭରେ ହେବ ସମାହିତ।
ସବୁଜଘର ପ୍ରଭାବ ନ କମିଲେ ଥମିବନି
ସାଗର ଜଳରାଶିର ତାତି, ଉଦବେଳନ।
ଅଙ୍ଗାରକାମ୍ଳ ବାଷ୍ପ ବୃଦ୍ଧିରୁ ବଢୁଛି ଉତ୍ତାପ,
ତରଳି ଚାଲିଛି ବରଫ ପାହାଡ଼, ଗ୍ଲାସିୟର,
ଦିନକୁ ଦିନ ବଢି ଚାଲିଛି ସମୁଦ୍ର ପତନ।


ଆଜି ବି ପ୍ରକୃତି ଅପେକ୍ଷା କରିଛି ମଣିଷକୁ
କେମିତି ବୁଝୁଛି ସେ ଦେଉଥିବା ସଙ୍କେତ,
ତ୍ରୁଟି ସଂଶୋଧନ ନା ସୃଷ୍ଟିର ନବସୃଜନ ।
ବଜ୍ର ନିର୍ଘୋଷରେ ଯେମିତି କହୁଛି ସମୁଦ୍ର
" ହୁସିଆର ହୁଅ, ହୁସିଅ।ର !! ପ୍ରଳୟ
ପୟୋଧି ଜଳେ ମୁଁ ମୀନ ଅବତାର ସାକ୍ଷୀ,
ମୁଁ ହିଁ ସୃଜନ୍ମୟ, ମୁଁ ମହାପ୍ରଳୟର ସ୍ଵର !"

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational