ଅର୍ଥନୈତିକ ପରାଧୀନତାରୁ ମୁକ୍ତି
ଅର୍ଥନୈତିକ ପରାଧୀନତାରୁ ମୁକ୍ତି
ଛୁଆ ଦିନୁ ମୁଁ କରି ଆସିଛି ବିଦ୍ୟାଳୟଠୁ ସମସ୍ତ
ଦେବାଳୟର ଭିତର
ପ୍ରାର୍ଥନା କରିଛି ହେ ପ୍ରଭୂ ମହାନ୍ ତୁମେ ଅନୀତି
ପାଖରୁ ମୋତେ ଦୂର କର |୧|
ନିତ୍ୟ ପରା କହେ ନୀତି ପଥ ସୁରକ୍ଷିତ ସ୍ଥାନ
ନୀତିକୁ କରିବି ସାଥି
ଦୟା ସ୍ନେହ ମନୁଷତ୍ୱ ଭାବ ଜାଗୁରେ ନଥିବ
କିଛି ଅଶାନ୍ତି ଅପ୍ରୀତି |୨|
ସତ ଆଉ ମିଛ ରହିଥିଲା ରହିଛି ଓ ରହିବ
ପରା ଏ ଦୁନିଆର ଉପବନେ
ନ୍ୟାୟରେ ମଣିଷ ତଉଲି ଥାଏ ସତ୍ୟକୁ ତାର
ଚେତନା ଓ ଅଚେତନେ |୩|
କଣ୍ଟା ଅଛି ଏଠି ଫୁଲ ବି ରହିଛି ରହିଛି ଏଠି
ପ୍ରେମ ଆଉ ପ୍ରତାରଣା
ମନାସି ଥାଏ କଣ୍ଟା ପାଇପାରେ ହେ ଈଶ୍ୱର
ନ ଶିଖାଅ ଅନ୍ଧତା ଛଳନା |୪|
ଭଲ ଲାଗେ ନାହିଁ କାହାକୁ ପ୍ରଶାସକ ହୋଇ
କରିଲେ ଦୁର୍ନୀତି
ତେଣୁ ପ୍ରାର୍ଥନା କରେ କର ନାହିଁ ମୋତେ
ସେହି ରଥର ଯାତ୍ରୀ |୫|
ଭଲ ଲାଗେ ନାହିଁ ଅନ୍ଧ ବିଶ୍ୱାସ ଅଜ୍ଞାନତାର
ସମାଜ ରୀତି
ଉଦ୍ଧତ ଚଳଣୀ ନାରୀ ଅସମ୍ମାନ ତ ସଂସ୍କୃତି
ବିହୀନ ନୀତି |୬|
ଅଜ୍ଞ ନରାଧମ ସ୍ୱାର୍ଥପର ହୀନ ଜନ ଅନେକ
କୁକର୍ମେ ବୁଡି ରହନ୍ତି ଏଠି
ସନ୍ନ୍ୟାସ ପୋଷାକ ପିନ୍ଧି ଚିତା ଚୈତନ ମାରି
ଘେନିଥାନ୍ତି ଆଚରଣେ ମନ୍ଦ ବୁଦ୍ଧି |୭|
ଦୁନିଆ ଯେମିତି ସେମିତି ତ ଅଛି ଗଲେଣି
କେତେ ଦେବୋପମ ସନ୍ଥଗଣ
ନିରୀହ ଜନତା ନିଜ ପ୍ରାପ୍ୟ ବିନା ପାଏ
କାହିଁକି କୁହ ଶୋଷଣ କଷଣ |୮|
କିମିଆ କରିଛି ଛଳ ବଳ ଟଙ୍କା ଏଠି କାହିଁକି
ଭଲ ନ୍ୟାୟୀ ମଣିଷକୁ ଚିହ୍ନେନା ଦୁନିଆ
ଶୁଣିବି ନଶୁଣି ଅନେକ କହନ୍ତି ମନ୍ଦକୁ ହିଁ ଭଲ
ଭଲକୁ କହନ୍ତି ମନ୍ଦ ନଥାଇ ଟିକିଏ ଦୟା |୯|
ଜୀବନ ଆରମ୍ଭୁ ମାଲିକ ପାଶେ କରଇ ସକଳ
ଯେ କାମ ନମିଳେ ତାର ମୁକତି
ବିଶ୍ୱାସ ପଣର ଇଏ କି ପୁରସ୍କାର ଇଏ କି
ସେବାର ଦାମ ଖଟଇ ମଣିଷ ଗୋତି |୧୦|
ପୁଞ୍ଜିବାଦ ଭାଗ୍ୟ ଭଗବାନ ପ୍ରାରବ୍ଧ ପୁନଃ ଜନମ
ମୁକ୍ତି ମୋକ୍ଷ ନାମେ ବାନ୍ଧିଛି ଆମକୁ
କହେ ଜୀବନ ଅସାର ଏ ମାୟା ସଂସାରରେ ସବୁ
ଛାଡି ଯିବ ସାଥେ ଧରି ଯିବ ଧରମକୁ |୧୧|
ପୁଞ୍ଜିପତି ମାଲିକ ଏଠାରେ ବହୁ ଚାଲାକ ଚତୁର
ବୁଦ୍ଧି ଜ୍ଞାନେ ପାରିବାର
ଧର୍ମ ନାମେ ଠକେ ଯିଏ ସେ କାହୁଁ ଜାଣିବ କଷ୍ଟ
ଅଧିକାରରୁ ବଞ୍ଚିତ ନିଷ୍ପାପ ଶିଶୁର |୧୩|
ଉଠରେ ତରୁଣ ତରୁଣୀ ଏ ଭାରତ ଭୂଇଁ ଏକ
ଓ ଅଖଣ୍ଡ ତୁମ ପାଇଁ ଆଜି ସିନା
ଶୋଷଣ କଷଣ ଦେଖି ଶୋଇ ପଡିଲେ କେମିତି
ଚଳିବ ଭୁଆଁ ବୁଲୁଥିବା ସିନା |୧୪|
ବିଶ୍ୱ ବ୍ରହ୍ମାଣ୍ଡର ଜୀବ ଜଗତକୁ ଯାଉ ବାରତା
ଚାଷୀ ଶ୍ରମିକ ଭିତରେ ଅଛି ଅସୀମ ଶକ୍ତି
ଦେଇ ପାରିବେ ପୃଥିବୀ ମାଆକୁ ଥିବା ମଣିଷର
ଅର୍ଥନୈତିକ ପରାଧୀନତାରୁ ମୁକ୍ତି |୧୫|