STORYMIRROR

Laxminarayan Sahoo

Inspirational

4  

Laxminarayan Sahoo

Inspirational

ଅପେକ୍ଷା

ଅପେକ୍ଷା

1 min
46

ବସିଛି ନୀରବେ

ସମୟର ନଈ ଧାରେ

ସାଉଁଟୁଛି ଖାଲି, ଅନାବନା

ଅତୀତ ଦେହରୁ ମୁଠା ମୁଠା ସ୍ମୃତି,

କେତେ ରଙ୍ଗ ଛଡ଼ା

ଆଉ କେତେ ଲହୁ ଲୁହ ଜରଜର ।


 ବେଳେ ବେଳେ ହାତରେ ଲାଗେ

ବାଲି ଗରଡା, ଆଞ୍ଜୁଳାରୁ ଖସିଯାଏ ଜହ୍ନ

ସ୍ମୃତି ସହ ସମ୍ପର୍କ ଛିଣ୍ଡାଇ ।

ଏମିତି ବି ହୁଏ

ରଙ୍ଗ ଛଡ଼ା ଶାମୁକା ଭିତରେ

ଠାବ ହୁଏ ମୁକ୍ତା ।

ମୁକ୍ତା ଭିତରେ ଜଳ ଜଳ

ତୁମ ମୁହଁ ଅବିକଳ ।


 ଅପେକ୍ଷାର ଅନ୍ତ କେଉଁଠି,

ପଚାରିବି ଯାଇ

ପରିତ୍ୟକ୍ତ ରାସ୍ତା କଡ଼ରେ ଛିଡା

ମାଇଲ୍ ଖୁଣ୍ଟକୁ,

ସୀମାନ୍ତରେ ଯୁଦ୍ଧରତ ଯବାନଙ୍କ

ଧର୍ମପତ୍ନୀମାନଙ୍କୁ ।

ନଚେତ ଯାଇ ପଚାରିବି

ଗାଁ ମୁଣ୍ଡ ବରଗଛ ତଳ

ଫିକା ସିନ୍ଦୂର, ଗାଢ଼ ବିଶ୍ୱାସ ବୋଳା

ପଥର ରୂପା ମାଆକୁ ।


 କେହି ଜଣେ କାହା ପାଇଁ

ଅପେକ୍ଷାରେ ଥାଏ ।

ଏ କଥା ଦିନେ ମୋତେ

ନଈ କହୁଥିଲା ।

ଯେମିତି ପାଣି ଧାରେ ପଡ଼ି ଥିବା ପଥର

ଅପେକ୍ଷା କରୁଥାଏ

ଆସିବ କେହି ଜଣେ

ତା ଅଳତା ମଖା ପାଦକୁ

ଘସା ମଜା କରିବ ତା ଦେହେ ।


 ଅପେକ୍ଷାର ଅନ୍ତ ଆଉ

ପଥରର ଅପେକ୍ଷା ଯଦି

ସମାନ୍ତରାଳ,

ତେବେ ମିଛ ଶାମୁକା ଦେହର ମୁକ୍ତା

ଆକାଶର ଜହ୍ନ।

ଅପେକ୍ଷାର ମାନେ ଖାଲି

ଜଳିବା, 

ସମୟର ନଈ ଧାରେ

ଅନ୍ଧାର ଖୋଜିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational