ଅନ୍ତଃସ୍ବର
ଅନ୍ତଃସ୍ବର
ଆଖି ବନ୍ଦ କରି
ମୋ ଭିତର ଅନ୍ଧାରରେ ଖୋଜିଲି ନିଜକୁ
ତଉଲିଲି ସୁଖ ସାଥେ
ମୁଁ ଆଉ ମୋ ଭଳି
ହାତ, ଗୋଡ଼, ମୁଣ୍ଡ ଥିବା ଇପ୍ସିତ ନରକୁ ।
ବିସ୍ଥାପିତ ଭାବନା ସବୁ
ଅଟ୍ଟହାସ୍ୟ କଲା ବୋଲି ଖୋଜିଲି ଯନ୍ତ୍ରଣାରେ
ତଳ୍ପକୀଟ ଦଂଶନର
ବିଗତ ଘାତ
ଯଥା ପୂର୍ବ ଅନୁଭବ ହେଲା ସମ ଦେହରେ ।
ଜାତିରେ ନାରୀ-ପୁରୁଷ
ବର୍ଣ୍ଣରେ କଳା-ଗୋରା
ଡେଙ୍ଗା-ବାଙ୍ଗରା,ମୋଟା-ପତଳା
ଧନୀ-ଗରିବ, ବାହ୍ୟରେ ଭିନ୍ନ ସିନା ଆଭ୍ୟନ୍ତରରେ ଏକ ।
ତାପରେ ଆଖି ଖୋଲିଲି
ଚାରିଆଡେ ହା-ହା କାର
ଦସ୍ତକ ଦେଉଛି ମୃତ୍ୟୁ ବାର ବାର
ଶିଉଳୀ ଲଗା ସମ୍ଭିଧାନେ
କେତେ ଯେ ଖସିବ ଥରକୁ ଥର ।
ମୃତ୍ୟୁ ପରେ ପୁନଃ ଜୀବଦାନ
ଦେବାର ସାମର୍ଥ୍ୟ କା'ର ଯେ
ମାରିବାର ଏ ପରିକଳ୍ପନା
ଫାଶୀ ଦିଅ ଫାଶୀ ଦିଅ ।
ଏବେ ବି ଶୁଭୁଚି ସେ ଝିଅର
କରୁଣ ଚିତ୍କାର ଏକାନ୍ତରେ
ଚାରି ପ୍ରାଣ ବ୍ୟଥିତ କରିଛି
ବିଂଶ ଶତାବ୍ଦୀର ଦ୍ବିଦଶନ୍ଧିରେ
ଦ୍ବନ୍ଦ୍ବୀଭୂତ ପରାସ୍ତ ପୁରୁଷ ମୁଁ
ମର୍ଯ୍ୟାଦା ପୁରୁଷୋତ୍ତମ
ନୈଷ୍ଠିକ ବ୍ରାହ୍ମଣକୁ ମାରିଲେ କାହିଁକି ।
ଅନ୍ତଃସ୍ବର ପ୍ରତ୍ଯୁତ୍ତର ଦେଲା
ଅହଂକାର ବଧ କଲା
ଦୋଷ ଦିଅ ନାହିଁ ।
ନିଜ କର୍ମେ ପ୍ରାପ୍ତ
ପୁଷ୍ପ ହାର କି ଫାଶୀର ରଶି
ଅନ୍ଧାରରେ ପୁଣି ଯାଇଥିଲି ଲୁଚି ।