STORYMIRROR

Sudruma Panda

Abstract Others

4  

Sudruma Panda

Abstract Others

ଅନନ୍ୟ ଗ୍ରହ

ଅନନ୍ୟ ଗ୍ରହ

1 min
217

ଗ୍ରହ ଙ୍କ ମଧ୍ୟରେ ଅଟେ ସର୍ବୋତ୍ତମ

ଅନନ୍ୟ ଅଟେ ମୋ ଧରଣୀ ମାତା,

ଖଞ୍ଜି ରଖିଅଛି କେତେ ଯେ ଦରବ

ସନ୍ତାନ ଙ୍କ ପାଇଁ ସଦା ତା ଚିନ୍ତା ।। ୧


ଏମିତି ଗ୍ରହଟେ ଅଛି କି ବ୍ରହ୍ମାଣ୍ଡେ

ଜୀବ ସତ୍ତା ଯହିଁ ଏତେ ଉନ୍ନତ,

କୀଟୁ ବ୍ରହ୍ମ ଯାଏଁ ସମସ୍ତ ଙ୍କ ପାଇଁ

ଗଚ୍ଛିତ ରହିଛି ଯେଉଁଠି ଖାଦ୍ୟ ।। ୨


ପବନ ଯେଉଁଠି ଜୀବନ ସଞ୍ଚରି

ପ୍ରବାହିତ ହୁଏ ସର୍ବତ୍ର ପୂରି,

ଜଳ ଯେଉଁ ଠାରେ ଅମୃତ ଧାରାରେ

ସଞ୍ଜିବିତ କରେ ପ୍ରାଣ ସବୁରି ।। ୩


ସୂର୍ଯ୍ୟ ଦେବ ନିତି ପ୍ରତି ଉଦେ ହୋଇ

ଶକ୍ତି ଯୋଗାଣରେ ଥାନ୍ତି ତତ୍ପର,

ଚନ୍ଦ୍ର ଦେବ ପୁଣି ପ୍ରତି ରଜନୀ ରେ

ବରଷା କରନ୍ତି ଅମୃତ କର ।। ୪


ଯେଉଁଠି ପାଷାଣ ଜନ୍ମ ଦେଇ ନଦୀ

ଜଗତ ପାଳଇ ବିତରି ଜଳ,

ପାଦପ ଯେଉଁଠି ସଦା ହସି ହସି

କରୁଥାଏ ଜଗତ ର ମଙ୍ଗଳ ।। ୫


କ୍ରମିକ ଭାବରେ ଆସେ ଯେଉଁ ଠାରେ

ବର୍ଷ ଋତୁ ମାସ ସପ୍ତାହ ଦିନ,

ଶୁକ୍ଳ ପକ୍ଷ ପରେ କୃଷ୍ଣ ପକ୍ଷ ହୁଏ

ଚନ୍ଦ୍ର ଙ୍କ କ୍ରମିକ କ୍ଷୟ ବର୍ଦ୍ଧନ ।। ୬


ଋତୁ ଜାଣି ଯହିଁ ଅନୁଭୂତ ହୁଏ 

ଖରା ବର୍ଷା ଶୀତ କ୍ରମିକ ଭାବେ,

ଜୀବ ଜଗତ ର ଆବଶ୍ୟକ ଯେତେ

ନିଅଣ୍ଟ ହୁଏନି ଯେଉଁଠି କେବେ ।। ୭


ସ୍ଵର୍ଗ ଠୁ ସୁନ୍ଦର ଅତି ମନୋହର

ଫଳ ପୁଷ୍ପ ଭରା ରମ୍ୟ କାନନ,

ପଶୁ ପକ୍ଷୀ ଙ୍କର ସୁମଧୁର ସ୍ବର

ବିଭୋର କରଇ ଯେଉଁଠି ମନ ।। ୮


ବିଶାଳ ସାଗର ଗାରିମା ଯାହାର

ବାଷ୍ପ ହୋଇ ନୀର ସୃଜଇ ମେଘ,

ସେହି ତ ମୋହର ଅତି ଆପଣାର

ବସୁମତୀ ମାଆ ଅଟେ ଅନର୍ଘ ।। ୯


ଅନନ୍ୟ ଅଟଇ ସବୁ ଠାରୁ ସିଏ

ଅନନ୍ୟ ଅଟେ ତା ସୃଷ୍ଟି ସମ୍ଭାର,

ଧନ୍ୟ ସେ ବିନ୍ଧାଣୀ ଧନ୍ୟ ତା କରଣୀ

ପ୍ରଣମେ ତାହାଙ୍କୁ ମୁଁ ବାରମ୍ବାର ।। ୧୦



Rate this content
Log in

Similar oriya poem from Abstract