ଅନ୍ନବ୍ରହ୍ମ
ଅନ୍ନବ୍ରହ୍ମ
ପରଂବ୍ରହ୍ମ ଦାରୁବ୍ରହ୍ମ ଅନ୍ନବ୍ରହ୍ମ
ଏକ ନିଗୂଢ଼ ରହସ୍ୟ
ନିଷ୍ଠା ସହକାରେ ରଖି ଭକ୍ତି ଭାବ
ହୃଦୟଙ୍ଗମ ଅବଶ୍ୟ
"ଜଗନ୍ନାଥ" ଶବ୍ଦରେ "ନ୍ନ" ଉଚ୍ଚାରଣ
ନୁହେଁ ସ୍ଵତନ୍ତ୍ର ଭାବରେ
ସ୍ୱର ବର୍ଣ୍ଣ "ଅ" ସାହାର୍ଯ୍ୟରେ ସମ୍ଭବ
ଅଲଗା "ଅନ୍ନ" ରୂପରେ
ଅନ୍ନ ରୁ ହିଁ ବ୍ରହ୍ମ ରୂପ ପୁଣି କୈବଲ୍ୟ
ପବିତ୍ର ମୋକ୍ଷ ପଦାର୍ଥ
ମୁକ୍ତି ତତ୍ତ୍ଵର ଗୁଣ ତତ୍ତ୍ଵ ନିହିତ
କଣିକାଏ ବି ଯଥାର୍ଥ
ଶ୍ରୀମନ୍ଦିରେ ନୈବେଦ୍ୟ ରୂପରେ ଅନ୍ନ
ମହାପ୍ରସାଦ ନାମିତ
ଅନ୍ନତ୍ଵ ବିଲୋପ ଷଡଙ୍ଗ ସଂସ୍କାରେ
ବ୍ରହ୍ମତ୍ୱ ହୁଅଇ ଜାତ
ସଂସ୍କାର ପରେ ସାଧାରଣ ତଣ୍ଡୁଳ
ଲଭଇ ବ୍ରହ୍ମ ମାନ୍ୟତା
ତାନ୍ତ୍ରିକ ସଂସ୍କାର ବିଧି ବିଧାନ ରେ
ଅନ୍ନ ବ୍ରହ୍ମ ଗୁଣବତ୍ତା ।
ସଂସ୍କାର ଆରମ୍ଭ ମହାଲକ୍ଷ୍ମୀ ଦ୍ଵାରା
ବୈଷ୍ଣବାଗ୍ନି ରେ ରନ୍ଧନ
ଶ୍ରୀଯନ୍ତ୍ର ମୁରୁଜରେ ନୈବେଦ୍ୟ ରୂପେ
ପାତ୍ରରେ ପରିବେଷଣ
ନୃସିଂହ ମନ୍ତ୍ରରେ ପ୍ରୋକ୍ଷଣ ସହିତ
ଗୋପାଳ ମନ୍ତ୍ରେ ଅର୍ପଣ
ଭୈରବୀ ଚକ୍ରରେ ମାଆ ବିମଳାଙ୍କୁ
ଯଥା ବିଧି ସମର୍ପଣ
ଅନ୍ନ ବଳୀ ରୂପେ ଅଷ୍ଠ-ବୈଷ୍ଣବ ଙ୍କୁ
ସନ୍ତୋଷ ଅର୍ଥେ ପ୍ରଦାନ
ଅଷ୍ଠ ବୈଷ୍ଣବଙ୍କ ଗରିମା ପ୍ରାୟତଃ
ସର୍ବଦା ଅଛି ଅକ୍ଷୁର୍ଣ୍ଣ
ବିଶ୍ୱକେଶନ,ପ୍ରହଲ୍ଲାଦ,ନାରଦ
ବୈନତେୟ,ହନୁମାନ
ଶୁକ, ଦେବଳ ସହିତ ଇନ୍ଦ୍ରଦ୍ୟୁମ୍ନ
ଅଟନ୍ତି ବୈଷ୍ଟମ୍ୱ ଗଣ ।
ଦ୍ବିତୀୟତଃ ତିନି ବ୍ରହ୍ମଙ୍କ ମିଳନ
ଅବସ୍ଥାରେ ଅନ୍ନବ୍ରହ୍ମ
ବିମଳାଙ୍କୁ ସମର୍ପିତ ହୋଇଥାଏ
ଅନ୍ନ ହୁଏ ଅନ୍ନବ୍ରହ୍ମ
ତୃତୀୟତଃ ତନ୍ତ୍ର ବିଧାନେ ରନ୍ଧନ
ବୈଷ୍ଣବାଗ୍ନି ରେ ସଂସ୍କାର
ଛଅ ଝିଙ୍କା ଚୁଲି ଆଉ ନଅ ହାଣ୍ଡି
ହୋଇଥାଏ ବ୍ୟବହାର
ଚତୁର୍ଥତଃ ସ୍ଵୟଂ ଲକ୍ଷ୍ମୀ ହାତ ରନ୍ଧା
ଅନ୍ନ ହୁଏ ଆୟୋଜନ
ମହାପ୍ରଭୁଙ୍କ ଉଦ୍ଦେଶ୍ୟେ ବ୍ୟଞ୍ଜନ
ଅନ୍ନ ବ୍ରହ୍ମ ନାମ ଗୁଣ
ପଞ୍ଚମତଃ ସମର୍ପିତ ହୋଇଥାଏ
ରତ୍ନ ବେଦୀ ବିଗ୍ରହଙ୍କୁ
ପ୍ରସାଦ ରୁ ମହାପ୍ରସାଦ ନାମରେ
ନାମିତ ଯୁଗ ଯୁଗକୁ
ଷଷ୍ଠତଃ ବେଦ ବିହିତ ଯଜ୍ଞ ବଳେ
ପାକ ହୋଇଥାଏ ଅନ୍ନ
ମା ବିମଳା ନାମରେ ମାଆ ପ୍ରସାଦ
ମହାପ୍ରସାଦ କଥନ ।
ଅନ୍ନ ବ୍ରହ୍ମ ବ୍ୟତିରେକ ଦାରୁବ୍ରହ୍ମ
ଚିହ୍ନିବା ନୁହେଁ ସହଜ
ଅନ୍ନ ବ୍ରହ୍ମ ନିହାତି ଗୁରୁତ୍ୱପୂର୍ଣ୍ଣ
ଜୀବନ ଅପରିହାର୍ଯ୍ୟ
କ୍ଷୁଧାର୍ତ୍ତ ଙ୍କୁ ଅନ୍ନ ଦାନ ମହାପୁଣ୍ୟ
ଅନ୍ନ ହିଁ ଅଟେ ଜୀବନ
ଜୀବନ ନିମନ୍ତେ ଅନ୍ନ ଆବଶ୍ୟକ
ଅନ୍ନ ବ୍ରହ୍ମ ଅଟେ ପ୍ରାଣ
ଦାରୁବ୍ରହ୍ମଙ୍କୁ ନୈବେଦ୍ୟ ରୂପେ ଅନ୍ନ
ସେହି ଅନ୍ନ, ଅନ୍ନ ବ୍ରହ୍ମ
ମତିଭ୍ରମ ବିନା ଗୂଢ ରହସ୍ୟକୁ
ବୁଝିବା ନିହାତି କାମ୍ୟ ।।
