ଅନ୍ଧକାର ମୁଖେ
ଅନ୍ଧକାର ମୁଖେ
ହଜାରେ ଦୀପର ଆଲୋକରେ ସିନା
ଅନ୍ଧକାର ଦୂର ହେଲା,
ମୋ ଭାଗ୍ୟ ଅନ୍ଧାର ସତେ କାରାଗାର
ସେଇମିତି ରହିଗଲା ।
ଆତସ ବାଜିରେ ଫାଟି ପଡ଼ୁଥିଲା
ଗ୍ରାମଠୁ ସହର ଯାଏ,
ମନ ଭିତରଟା ନିରଵ ନିଶ୍ଚଳ
ମହାକାଶେ ଘୂରୁଥାଏ ।
ଛୋଟ ସିନା ସେଇ ଛୋଟିଆ ଦୀପଟି
ମିଞ୍ଜି ମିଞ୍ଜି ଜଳୁଥାଏ,
ମନେ ଚିନ୍ତା କରେ ଅମା ଅନ୍ଧାରକୁ
ସେ ଏକା ଦୂରେଇ ଦିଏ ।
ତା ଦେହର ସେଇ ଛୋଟିଆ ଶିଖାଟି
ବହୁ କୀଟ ମାରିଦିଏ ,
ତଥାପି ସେ ଆଜି ଶୁଭ କରମରେ
ସବୁଠାରେ ଲୋଡ଼ା ହୁଏ ।
ନିଜକୁ ସଜାଇ ଛୋଟିଆ ଦୀପାଳି
ଯାହା ପାଇଁ ଜଳୁଥିଲି ,
ଠେଲି ଦେଲା ମୋତେ ବତାସ ମୁହଁକୁ
ଦପ୍ କରି ଲିଭିଗଲି ।
ସେହି ଦିନ ଠାରୁ ସବୁ ଦୀପାବଳୀ
ମୋ ପାଇଁ ଅନ୍ଧାର ସାଜେ,
ଭାଗ୍ୟକୁ ଆଦରୀ ନିତି ନିତି ମୁଁ ଯେ
ଅମା ଅନ୍ଧାରରେ ହଜେ ।